Latest Odisha News

BREAKING NEWS

ଜ୍ଞାନବ୍ୟାପି ମସଜିଦରେ ଏଏସଆଇ ସର୍ଭେ ଉପରେ ସୁପ୍ରିମକୋର୍ଟଙ୍କ ରୋକ: ୨୬ ଜୁଲାଇ ଯାଏ କଟକଣା

ଲକ୍ଷ୍ନୌ:  ଜ୍ଞାନବାପୀ ମସଜିଦ ପରିସରରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଟିମ୍‌ ଆଜି ସର୍ଭେ ଆରମ୍ଭ କରିବା ବେଳେ ଦେଖା ଦେଇଛି ଉତ୍ତେଜନା। ଆଜି ସକାଳ ୭ଟାରୁ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସର୍ଭେ ଆରମ୍ଭ ହୋଇଥିଲା।  ୪୩ ଜଣିଆ ଏଏସଆଇ ଟିମ୍‌ ଦ୍ୱାରା ସାଇଣ୍ଟିଫିକ୍ ସର୍ଭେ କରାଯାଉଥିବାବେଳେ ସୁପ୍ରିମ କୋର୍ଟ ପକ୍ଷରୁ ଏହାକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ଏହି ସର୍ଭେ ଉପରେ ରୋକ ଲଗାଇବାକୁ ମୁସଲିମ୍‌ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ଆଜି ଏହି ଆବେଦନ ଉପରେ ହୋଇଛି ଶୁଣାଣି।   ୨ ଦିନ ପାଇଁ ଜ୍ଞାନବ୍ୟାପୀ ମସଜିଦ ପରିସରରେ କୌଣସି ଖୋଳାଖୋଳି କାର୍ଯ୍ୟ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।    ଜୁଲାଇ ୨୬ ସନ୍ଧ୍ୟା ୫ଟା ଯାଏଁ କଟକଣା ଲାଗିଛି ।  ତାରିଖ ଶେଷ ହେବା ପୂର୍ବରୁ ଏହି ମାମଲାର ଶୁଣାଣି କରିବେ ବୋଲି ସୁପ୍ରିମ କୋର୍ଟ ଆଶ୍ୱାସନା  ଦେଇଛନ୍ତି ।

ସୂଚନା ଥାଉକି ଏଏସ୍‌ଆଇକୁ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ସର୍ଭେ କରିବାକୁ ବାରାଣାସୀ କୋର୍ଟ ଅନୁମତି ଦେବା ବେଳେ କିଛି ସର୍ତ୍ତ ରଖିଥିଲେ କୋର୍ଟ। କୋର୍ଟ କହିଛନ୍ତି ଏଏସ୍‌ଆଇ ମସ୍‌ଜିଦ୍‌ ପରିସରରେ ସମସ୍ତ ପ୍ରକାର ସର୍ଭେ କରିପାରିବ। କିନ୍ତୁ ଯେଉଁ ସ୍ଥାନକୁ ନେଇ ବିବାଦ ରହିଛି, ସେହି ସ୍ଥାନରେ କୌଣସି ପ୍ରକାର ସର୍ଭେ କରିପାରିବ ନାହିଁ। ତେଣୁ ଆଜି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି କ୍ୟାମ୍ପସରେ ସର୍ବେକ୍ଷଣ କରିବାର କାର୍ଯ୍ୟକ୍ରମ ଥିଲା ।

ସେପଟେ ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କମିଟି ମାମଲା ଦାୟର କରିଛି। ତେବେ ପୂର୍ବରୁ ମୁସ୍‌ଲିମ୍‌ ପକ୍ଷ ଏହି ସର୍ଭେକୁ ବିରୋଧ କରିଥିଲେ। କିନ୍ତୁ କୋର୍ଟ ସମସ୍ତ ତଥ୍ୟ, ପ୍ରମାଣ, ଦସ୍ତାବିଜ୍ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି ଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ  ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏପରିକି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ଆବେଦନ କରାଯାଇଥିଲା। ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା।

Comments are closed.