Latest Odisha News

ଦେଶବ୍ୟାପୀ ବୁଲଡୋଜର ବୁଲିବା ଉପରେ ରୋକକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ଜବର ଦଖଲ ଉଚ୍ଛେଦ ଉପରେ ବୁଲଡୋଜର ବୁଲିବା ନେଇ ସର୍ବୋଚ୍ଚ କୋର୍ଟ ଦୁଇ ସପ୍ତାହ ପାଇଁ ରୋକ ଲଗାଇଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ପୂର୍ବ ସ୍ଥିତି ବଜାୟ ରହିବ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ। ସୁପ୍ରିମକୋର୍ଟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ପୋଲିସ ଓ ଏନଡିଏମସିକୁ ମଧ୍ୟ ନୋଟିସ ଜାରି କରିଛନ୍ତି।

ତେବେ ସାରା ଦେଶରେ ବୁଲଡୋଜର ବୁଲିବା ଉପରେ ରୋକ୍ ଲଗାଇବା ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟର ବିଚାରପତି ଏଲ୍ ନାଗେଶ୍ୱର ରାଓ ଏବଂ ବି ଆର ଗଭାଇଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଜମିୟତ ଉଲେମା-ଏ-ହିନ୍ଦ ପକ୍ଷରୁ ଦାୟର ହେ୍ାଇଥିଲା ଆବେଦନ ।

ଗତକାଲି ବୁଧବାର ଜାହାଙ୍ଗୀରପୁରୀରେ ବେଆଇନ ଜବର ଦଖଲ ଉଚ୍ଚେଦ କରୁଥିଲା ଦିଲ୍ଲୀ ଏମସିଡି । ତେବେ ଏହା ପୂର୍ବରୁ ସାରା ଦେଶରେ ବୁଲଡଜର ବୁଲିବା ଉପରେ ରୋକ୍ ଲଗାଯାଉ ବେଲି ଜମିୟତ ଉଲେମା-ଏ-ହିନ୍ଦ ଆବେଦନ କରିଥିଲା । ଏହାପରେ ଗତକାଲି ଦିଲ୍ଲୀ ପ୍ରସଙ୍ଗରେ କୋର୍ଟ ତ୍ୱରିତ ଶୁଣାଣି କରି ରୋକ୍ ଲଗାଇଥିଲେ। ଆବେଦନକାରୀ କହିଛନ୍ତି କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଟାର୍ଗେଟ କରି ଏ ବିଜେପି ସରକାର ସାରା ଦେଶରେ ଗରିବଙ୍କ ଘର ଭାଙ୍ଗୁଛି । ଏଥିରେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ କହିଥିଲେ ପୂର୍ବରୁ ନୋଟିସ ଦିଆଯାଇଥିଲା।

ବୁଲଡୋଜର ବୁଲିବା ଉପରେ ରୋକ୍ ଲଗାଇବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୁଷ୍ୟନ୍ତ ଦାଭେ ଓ କପିଲ ସିବଲ ସୁପ୍ରିମକୋର୍ଟରେ ପକ୍ଷ ରଖୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ପକ୍ଷ ରଖି କହିଥିଲେ ଯେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ହୋଇଛି ଏହା ଏକ ନିୟମିତ ପ୍ରକ୍ରିୟା।

Comments are closed.