Latest Odisha News

ସିଜରିଆନ୍‌ ଅପରେସନ୍‌ ପରେ ୧୭ ବର୍ଷ ଧରି ମହିଳାଙ୍କ ପେଟରେ ରହିଗଲା ସର୍ଜିକାଲ୍‌ କଇଁଚି!

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ପେଟରୁ ୧୭ ବର୍ଷ ପରେ ଏକ ସର୍ଜିକାଲ୍‌ କଇଁଚି ବାହାର କରାଯାଇଛି । ଯାହା ତାଙ୍କ ଅପରେସନ୍‌ ସମୟରେ ଭୁଲ୍‌ରେ ରହି ଯାଇଥିଲା ବୋଲି ଅଭିଯୋଗ ହୋଇଛି।

ସନ୍ଧ୍ୟା ପାଣ୍ଡେ ନାମକ ଏହି ମହିଳା ୨୦୦୮ ମସିହା ଫେବୃଆରୀ ୨୮ ତାରିଖରେ ଲକ୍ଷ୍ନୌର ‘ସି ମେଡିକାଲ୍‌ କେୟାର’ ନର୍ସିଂ ହୋମ୍‌ରେ ସିଜରିଆନ୍‌ ଜରିଆରେ ସନ୍ତାନ ଜନ୍ମ ଦେଇଥିଲେ। ତାଙ୍କ ସ୍ୱାମୀ ଅରବିନ୍ଦ କୁମାର ପାଣ୍ଡେଙ୍କ ଅଭିଯୋଗ ଅନୁସାରେ, ଅପରେସନ୍‌ ପରଠାରୁ ସନ୍ଧ୍ୟାଙ୍କୁ ଲଗାତାର ପେଟରେ ଯନ୍ତ୍ରଣା ଅନୁଭବ ହେଉଥିଲା। ଅନେକ ଡାକ୍ତରଙ୍କୁ ଦେଖାଇବା ସତ୍ତ୍ୱେ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇ ନଥିଲା।

ନିକଟରେ ଏକ ଅଲଗା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସନ୍ଧ୍ୟା ଲକ୍ଷ୍ନୌ ମେଡିକାଲ୍‌ କଲେଜରେ ଏକ୍ସ-ରେ କରାଇଥିଲେ। ଏହି ଏକ୍ସ-ରେରେ ତାଙ୍କ ପେଟରେ ଏକ କଇଞ୍ଚି ଥିବା ଜଣାପଡ଼ିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏହାପରେ ତାଙ୍କୁ କିଙ୍ଗ ଜର୍ଜ ମେଡିକାଲ୍‌ ୟୁନିଭର୍ସିଟି (କେଜିଏମ୍‌ୟୁ)ରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୨୬ ତାରିଖରେ ଏକ ଜଟିଳ ଅପରେସନ୍‌ ଜରିଆରେ ତାଙ୍କ ପେଟରୁ କଇଞ୍ଚିଟି ବାହାର କରାଗଲା।

କେଜିଏମ୍‌ୟୁର ମୁଖପାତ୍ର ସୁଧୀର ସିଂହ ଏହି ଘଟଣାର ସତ୍ୟତା ସ୍ୱୀକାର କରି କହିଛନ୍ତି ଯେ, ଏହି ଜଟିଳ ଅସ୍ତ୍ରୋପଚାର ପରେ କଇଞ୍ଚିଟି ସଫଳତାର ସହ ବାହାର କରାଯାଇଛି। ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଛି।

ଅରବିନ୍ଦ କୁମାରଙ୍କ ପୋଲିସ ଅଭିଯୋଗରେ ପ୍ରଥମ ଅପରେସନ୍‌ କରିଥିବା ଡାକ୍ତର ପୁଷ୍ପା ଜୟସ୍ୱାଲଙ୍କୁ ଏହି ଅବହେଳା ପାଇଁ ଦାୟୀ କରାଯାଇଛି। ସେ ଏହି ମାମଲାର ତଦନ୍ତ ପାଇଁ ଦାବି କରିଛନ୍ତି।

Comments are closed.