ନୂଆଦିଲ୍ଲୀ: ୭ ଦିନ ଭିତରେ ଲୁଟ୍ ଅସ୍ତ୍ରଶସ୍ତ୍ର ଫେରାଅ। ଜନସାଧାରଣଙ୍କୁ ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା।
ସୂଚନା ଅନୁଯାୟୀ, ହିଂସା ଗ୍ରସ୍ତ ରାଜ୍ୟରେ ଅବୈଧ ଭାବରେ ରଖାଯାଇଥିବା ଅସ୍ତ୍ରଶସ୍ତ୍ରକୁ ସ୍ୱେଚ୍ଛାକୃତ ଭାବରେ ଫେରାଇବାକୁ ସେ ଅନୁରୋଧ କରିଛନ୍ତି। ଏହି ସମୟ ମଧ୍ୟରେ ଅସ୍ତ୍ରଶସ୍ତ୍ର ଫେରାଇଲେ କାହା ବିରୁଦ୍ଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।
ତେବେ ସାତ ଦିନର ଅବଧି ଶେଷ ହେବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରାଜ୍ୟପାଳଙ୍କ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି, “ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦଭାବନାକୁ ପ୍ରଭାବିତ କରୁଥିବା ଘଟଣା ଲାଗି ଗତ ୨୦ ମାସ ଧରି ମଣିପୁରର ଉପତ୍ୟକା ଏବଂ ପାହାଡ଼ି ଅଞ୍ଚଳରେ ଲୋକମାନେ ବହୁ କଷ୍ଟର ସମ୍ମୁଖୀନ ହେଉଛନ୍ତି। ତେବେ ରାଜ୍ୟର ସମସ୍ତ ସମ୍ପ୍ରଦାୟ ଶତ୍ରୁତା ଛାଡି ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ଆଗକୁ ଆସିବା ଉଚିତ। ଫଳରେ ଲୋକମାନେ ସେମାନଙ୍କର ସ୍ବାଭାବିକ ଜୀବନଯାପନ କରିପାରିବେ। ଏହି ଅସ୍ତ୍ରଶସ୍ତ୍ର ଫେରାଇବା ରାଜ୍ୟରେ ଶାନ୍ତି ସ୍ଥାପନା ନିମନ୍ତେ ଏକ ସଂକେତ ହୋଇପାରେ।
ଉଲ୍ଲେଖଯୋଗ୍ୟ, ମଣିପୁରରେ କୁକି ଓ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଯୋଗୁ ହିଂସା ଆରମ୍ଭ ହୋଇଥିଲା। ପାଖାପାଖି ୨୦ ମାସ ଧରି ହିଂସା ଜାରି ରହିଥିଲା। ଗତ କିଛିଦିନ ତଳେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଯାହାପରେ ରାଜ୍ଯରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।
Comments are closed.