ନୂଆଦିଲ୍ଲୀ: ଭାରତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ୫ମ ଖେଳାଳି ଭାବେ କ୍ରିକେଟର ଏହି ଛୋଟ ଫର୍ମାଟରେ ୧୫୦ ଛକା ମାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ଅବସରରେ ସୂର୍ଯ୍ୟକୁମାର ୨ଟି ଛକା ମାରିଥିଲେ । ସୂଚନାଯୋଗ୍ୟ, ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ ହୋଇ ଯାଇଥିଲା । ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ସୂର୍ଯ୍ୟକୁମାର ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବେ ୧୫୦ ଛକା ମାରିଥିଲେ ।
ରୋହିତ ୧୧୧ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରିଥିବା ବେଳେ ସୂର୍ଯ୍ୟକୁମାର ୮୬ ଇନିଂସରେ ଏହି ସଫଳତା ହାସଲ କରି ତାଙ୍କୁ ପଛରେ ପକାଇ ଦେଇଛନ୍ତି । ୟୁଏଇର ମହମ୍ମଦ ୱାସିମ ୬୬ ଇନିଂସରେ ୧୫୦ ଛକା ମାରି ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ସୂର୍ଯ୍ୟକୁମାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ( ୧୦୧ ଇନିଂସ), ଇଂଲଣ୍ଡର ଜୋସ ବଟଲର( ୧୨୦) ଓ ରୋହିତ ଶର୍ମା(୧୧୧) ତୃତୀୟରୁ ୫ମ ସ୍ଥାନରେ ରହିଛନ୍ତି । ସୂର୍ଯ୍ୟକୁମାର ଚଳିତ ବର୍ଷ ଖରାପ ଫର୍ମରେ ଥିଲେ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ରେ ୩୦ରୁ ଊର୍ଦ୍ଧ୍ୱ ରନ କରି ଅପରାଜିତ ରହିବା ସହ ଫର୍ମକୁ ଫେରିଛନ୍ତି ।
Comments are closed.