Latest Odisha News

BREAKING NEWS

ଏତେ ସହଜ ନୁହେଁ… ସାମିଙ୍କ ବୋଲିଂଙ୍କୁ ପ୍ରଶଂସା କଲେ ବ୍ୟାଟର ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପେଶ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ୫ ଓ୍ୱିକେଟ୍ ଅକ୍ତିଆର କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ବ୍ୟାଟର ସୂର୍ଯ୍ଯକୁମାର ଯାଦବ। ମୋହାଲିରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚର ଭାରତ ୫ ଓ୍ୱିକେଟ୍ ହରାଇ ବିଜୟ ହାସଲ କରିଛି।

ସାମି ନିଜ ଷ୍ଟାଇଲରେ ବୋଲିଂ କରି ଅଷ୍ଟ୍ରେଲିଆର ବ୍ୟାଟିଂ କ୍ରମକୁ ଭାଙ୍ଗିଥିଲେ। ଷ୍ଟିଭ୍ ସ୍ମିଥଙ୍କୁ ଆଉଟ୍ ତାଙ୍କ ବୋଲିଂର ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ଥିଲା। ବିଶେଷ କରି ଭାରତୀୟ କ୍ରିକେଟ୍ ଦଳରେ ଏହି ଅଭିଜ୍ଞ ପେସ୍ ବୋଲରଙ୍କୁ ମିଳିଥିବା ସୁଯୋଗକୁ ଦୃଷ୍ଟିରେ ରଖି ସାମିଙ୍କ ଏହି ଉଲ୍ଲେଖନୀୟ ସଫଳତାକୁ ସୂର୍ଯ୍ୟକୁମାର ଯାଦବ ପ୍ରଶଂସା କରିଛନ୍ତି।

ମୁଁ ତାଙ୍କ ପାଇଁ ବହୁତ ଖୁସି। ମୁଁ କହୁଛି, ମଝିରେ ମଝିରେ କୌଣସି କାରଣ ପାଇଁ ଦଳ ପକ୍ଷରୁ ମ୍ୟାଚ୍ ଖେଳୁନୁ ଆଉ ଫେରିବା ପରେ ଏଭଳି ପ୍ରଦର୍ଶନ କରିବା ସେତେଟା ସହଜ ନୁହେଁ। ସାମିଙ୍କଠାରୁ ଅନେକ ଶିକ୍ଷା କରିବାର ରହିଛି। ଆଉ ମୁଁ ତାଙ୍କ ବୋଲିଂକୁ ମୋହାଲିରେ ଖୁବ୍ ଉପଭୋଗ କରିଥିଲି। ବିସିସିଆଇ ଟୁଇଟରରେ ଏକ ଭିଡିଓ ଜାରି କରି ସୂର୍ଯ୍ୟକୁମାର ଯାଦବ ଏହି ସୂଚନା ଦେଇଛନ୍ତି। କହିରଖୁଛି ସାମି ପାରିବାରିକ ବିବାଦରେ ଛନ୍ଦି ହୋଇଛନ୍ତି। ତାଙ୍କ ପତ୍ନୀଙ୍କ ସହ ଛାଡପତ୍ର ମାମଲା ଚାଲିଛି।

ଭାରତର ଏହି ସଫଳତାରେ ସୂର୍ଯ୍ୟକୁମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଶୁଭମନ ଗିଲ୍ ଓ ରୁତୁରାଜ ଗାଏକ୍ବାଡଙ୍କ ମଧ୍ୟରେ ଶତକୀୟ ଭାଗୀଦାରି ଥିଲା। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲିଆର ଡେଭିଡ୍ ଓ୍ୱାର୍ଣ୍ଣର, ଜୋସ୍ ଇଙ୍ଗଲିସ, ଷ୍ଟିଭେନ୍ ସ୍ମିଥ୍ ଭଳି ବିସ୍ଫୋରକ ବ୍ୟାଟିଂ ବଳରେ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୭୬ ରନ୍ କରିଥିଲା।

ସାମି ୫୧ ରନରେ ୫ ଓ୍ୱିକେଟ୍ ଅକ୍ତିଆର କରି ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ।

ଗିଲ୍ ଓ ଗାଏକ୍ୱାଡ୍ ୧୪୨ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ଗାଏକ୍ୱାଡ୍ ୭୭ ବଲ୍ରୁ ଦଶଟି ଚୌକା ସହ ୭୧ ଏବଂ ଗିଲ୍ ୬୩ ବଲ୍ରୁ ଛଅଟି ଚୌକା ଓ ଦୁଇଟି ଛକା ସହ ୭୪ ରନ୍ କରିଥିଲେ।

ଅଧିନାୟକ ଲୋକେଶ ରାହୁଲ ୬୩ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୮ ରନର ଅପରାଜିତ ଥିଲେ। ସୂର୍ୟ୍ୟକୁମାର ଯାଦବ ମଧ୍ୟ ୪୯ ବଲ୍ରୁ ୫ଟି ଚୌକା ଓ ଗୋଟିଏ ଛକା ସହ ୫୦ ରନ୍ କରି ଭାରତକୁ ୫ ଓ୍ୱିକେଟ୍ରେ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ।

ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ରବିବାର ଇନ୍ଦୋରରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ମଧ୍ୟ ଏହି ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ।

Leave A Reply

Your email address will not be published.