Latest Odisha News

BREAKING NEWS

ସରିଲା ମାନଭଞ୍ଜନ; ଏବେ ସୁଶାନ୍ତ ସିଂ ଖୁସି ତ ?

ଭୁବନେଶ୍ୱର: ସରିଲା ମାନଭଞ୍ଜନ । ଏବେ ସୁଶାନ୍ତ ସିଂ ଖୁସି ତ ? ଦୂର ହୋଇଛି ତ ଅଭିମାନ ? ମନ୍ତ୍ରୀ ପଦ ମିଳି ନ ଥିବା ଦୁଃଖ ଦୂର ହୋଇଛି ତ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କର ?

BjdElectrycity

ଶଙ୍ଖ ଭବନରେ  କୁଆଡେ ଚାଲିଥିଲା ବିଧାୟକ ସୁଶାନ୍ତ ସିଂହଙ୍କ ମାନଭଞ୍ଜନ । ଗତକାଲି ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରିବା ପରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରିଥିଲେ । ସୁଶାନ୍ତଙ୍କ ମାନଭଞ୍ଜନ ପାଇଁ  ଦଳର ଚେଷ୍ଟା  ଜାରି ରହିଛି ବୋଲି ଆଲୋଚନା ହେଉଥିଲା ।

ଯାହା ବି ହେଉ, ଆଲୋଚନା ପରେ ସୁଶାନ୍ତ ସିଂହ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ମୁଁ ମନ୍ତ୍ରୀପଦ ରେସରେ ନଥିଲି  । ମନ୍ତ୍ରୀ ପଦ  ମିଳି ନ  ଥିବାରୁ ମୁଁ  ଅସନ୍ତୁଷ୍ଟ ନୁହେଁ । ମନ୍ତ୍ରୀ ହେବାକୁ ଲବି ମଧ୍ୟ କରିନଥିଲି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋ ଉପରେ ରହିଛି । ସେଥିପାଇଁ ପଶ୍ଚିମ ଓଡ଼ିଶାକୁ ମିଳୁଛି ଏତେ ସବୁ ପ୍ରୋଜେକ୍ଟ ।’

ସେ ଆହୁରି କହିଛନ୍ତି,  ସୁନ୍ଦରଗଡକୁ ଛାଡି ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାର ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି ଭଲ କରିବ । ପଶ୍ଚିମ ଓଡ଼ିଶାର ୩୧ରୁ ଅଧିକ ବିଧାନସଭା ଆସନରେ ବିଜେଡି  ବିଜୟୀ ହେବ ବୋଲି ସେ କହିଛନ୍ତି ।

ନିକଟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କଲେ ମୁଖ୍ୟମନ୍ତ୍ରୀ  । ନବ ଦାସଙ୍କ ମୃତ୍ୟୁ ପରେ ଗୋଟିଏ ଆସନ ଖାଲି ପଡିଥିଲା । ଏହା ପରେ ଦୁଇଜଣ ମନ୍ତ୍ରୀ ଓ ବାଚସ୍ପତି ଇସ୍ତଫା ଦେଇଥିଲେ । ଏହି ତିନି ମନ୍ତ୍ରୀ ପଦ ପୂରଣ କରିଲେ ବିଜେଡି ସୁପ୍ରିମୋ ହେଲେ ସୁଶାନ୍ତ ସିଂହଙ୍କୁ ସେଥିରେ ସାମିଲ କରାଯାଇ ନ ଥିଲା ।

ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଭାବେ  ତାଙ୍କ ସମର୍ଥକମାନେ ମନ୍ତ୍ରୀ ପଦ ପାଇବା ନେଇ ଆଶାୟୀ ଥିଲେ । ହେଲେ ଆଶା ପୂରଣ ନ ହେବାରୁ କ୍ଷୁବ୍ଧ ହୋଇଥିଲେ ସମର୍ଥକ । ଏପରିକି ସୁଶାନ୍ତଙ୍କ ସମର୍ଥକ ଏବଂ ବରଗଡ଼, ବଲାଙ୍ଗୀର ଜିଲ୍ଲାର ଯୁବ ବିଜେଡି ସଭାପତି  ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଥିଲେ । ପଶ୍ଚିମ ଓଡ଼ିଶାର ଟାଣୁଆ ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ନଦେଇ ସାରଦା ନାୟକଙ୍କୁ ଦିଆଯାଇଥିବାରୁ ଦଳ ଭିତରେ ବିଦ୍ରୋହ ସ୍ଥିତି ଉପୁଜିଥିଲା ।

ସେତିକି ନୁହେଁ,  ଯୁବ ବିଜେଡି ସଭାପତି ଦଳୀୟ ଇସ୍ତଫା ଦେବାର ଇଙ୍ଗିତ ବି ଦେଇଥିଲେ । ଶପଥ ଗ୍ରହଣ ଉତ୍ସବରେ ବି ସୁଶାନ୍ତ ସିଂହଙ୍କୁ ଦେଖିବାକୁ ମିଳି ନ ଥିଲା । ତାଙ୍କର ଅନୁପସ୍ଥିତି ଏହି ଖବରକୁ ଆହୁରି ଶାଣିତ କରିଥିଲା ।

ଏହାକୁ ନେଇ ବିଜେଡି ରାଜନୀତି ସରଗରମ ଥିବାବେଳେ ଆଜି ସୁଶାନ୍ତ ମୁହଁ ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ  ସହ ସାକ୍ଷାତ ପରେ ଏବଂ ଦଳୀୟ କର୍ମୀଙ୍କ ସହ ଆଲୋଚନା ପରେ ସୁଶାନ୍ତଙ୍କ ମାନଭଞ୍ଜନ ହୋଇଥିବା ପରି ମନେ ହେଉଛି ।

ତେବେ ମୁ୍ଖ୍ୟମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କି ପ୍ରତଶ୍ରୁତି ଦେଇଛନ୍ତି  ? ଏହାପରେ ଆଉ ରୁଷିବେନି ତ ବିଧାୟକ ? ପ୍ରତିଶ୍ରୁତି ପାଇବା ପରେ  କେତେ ଖୁସି ଅଛନ୍ତି  ? ଏହାର ଉତ୍ତର ସମୟ କହିବ ।

 

Leave A Reply

Your email address will not be published.