Latest Odisha News

BREAKING NEWS

ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିଲେ ଦଳରୁ ନିଲମ୍ବିତ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ସୋମବାର ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ଶରତ ରାଉତଙ୍କୁ ଭେଟି ଆଲୋଚନା କରିଛନ୍ତି ଚିରଞ୍ଜୀବ ବିଶ୍ୱାଳ ।

ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବାସଭବନରେ ଏଆଇସିସି ସମ୍ପାଦକ ଶରତ ରାଉତଙ୍କୁ ଭେଟି ଆଲୋଚନା କରିଛନ୍ତି ଚିରଞ୍ଜୀବ । ଦଳରୁ ନିଲମ୍ବନ ନେଇ ଚିରଞ୍ଜୀବ ୨ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।

ନିକଟରେ ଶରତ ରାଉତ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଦଳର ଶୃଙ୍ଖଳା କମିଟି ସଦସ୍ୟ ତାରିକ ଅନୱରଙ୍କୁ ଭେଟିଥିଲେ । ଆଗକୁ ନିର୍ବାଚନ ଥିବାରୁ ଓ ଦଳୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଆଇସିସି ସମ୍ପାଦକ, ହାଇକମାଣ୍ଡଙ୍କ ପାଖରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଉଠାଇବାକୁ ଦାବି ରଖିବେ ।

ପୂର୍ବତନ ପିସିସି ସଭାପତି ଶ୍ରୀ ଜେନା କହିଛନ୍ତି, ଦଳର ୨ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ନେଇ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହୋଇଛି । ଦଳର ହାଇକମାଣ୍ଡ ନିଷ୍ପତ୍ତିର ପୁର୍ନବିଚାର କରି ପାରନ୍ତି । ପୂର୍ବରୁ ମଧ୍ୟ ଦଳ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ନିଲମ୍ବନ ପ୍ରତ୍ୟାହାର ହୋଇଥିବା କହିଛନ୍ତି ଜୟଦେବ ଜେନା ।

ତେବେ ଆଗକୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ରହିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଦଳକୁ ସୁଦୃଢ଼ କରିବା ଲାଗି କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଶ୍ରୀ ଜେନା । ସେହିଭଳି ଶରତ ରାଉତ କହିଛନ୍ତି, ଦଳକୁ ଶକ୍ତିଶାଳୀ କରିବା ଲାଗି କେନ୍ଦ୍ରୀୟ ନେତୃତ୍ୱଙ୍କୁ ପ୍ରସ୍ତାବ ଦିଆଯାଇଛି ।

Comments are closed.