Latest Odisha News

BREAKING NEWS

ଗତ ୨ଦିନର ଘଟଣାରେ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର । ଗତ ୨ ଦିନ ଭିତରେ ରାଜ୍ୟରେ ଯେଉଁ ଦୁଇଟି ଅଭାବନୀୟ ଘଟଣା ଘଟିଛି ସେଥିରୁ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ଚିତ୍ର ପୁରା ଜଳ ଜଳ ହୋଇ ଦିଶୁଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବାଣ ଫୁଟିବା ଯୋଗୁ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୪ରୁ ଊର୍ଦ୍ଧ୍ୱ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ହେଉଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନା ଡାକ୍ତର ଅଛନ୍ତି ଆଉ ନା “ବର୍ଣ୍ଣ ୟୁନିଟ” । ଯଦ୍ଵାରା ଗୁରୁତରମାନଙ୍କୁ ଜରୁରୀକାଳୀନ ଚିକିତ୍ସାସେବା ମିଳିପାରିନଥିଲା ।

ସେହିପରି ପଶ୍ଚିମ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୪୩ରେ ପହଞ୍ଚିଥିବାବେଳେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଶହଶହ ଲୋକ ଚିକିତ୍ସିତ ହେଉଛନ୍ତି । ରାଉରକେଲା, ସୁନ୍ଦରଗଡ଼, ବଲାଙ୍ଗିର ଓ ଝାରସୁଗଡ଼ାରେ ଏହି ସମସ୍ୟା ଉଦବେଗଜନକ ହୋଇଛି । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ପାଣିପାଗ ବିଭାଗର ସତର୍କତା ସତ୍ୱେ ଅଂଶୁଘାତଜନିତ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ସରକାର ସେଭଳି କୌଣସି ପଦକ୍ଷେପ ନେଇନାହାଁନ୍ତି ବୋଲି କହିଛନ୍ତି ସମୀର ।

ତେବେ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଏବେବି ପାରଦ ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱରେ ରହିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଅନୁରୋଧ କରିଛି ବିଜେପି । ସେପଟେ ଏଭଳି ଅସ୍ୱାଭାବିକ ମୃତ୍ୟୁ ପାଇଁ ବିଜେପି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛି ।

Comments are closed.