Latest Odisha News

BREAKING NEWS

ସ୍ୱସ୍ତି ସିଂହ ଓ ପିଟର ତିର୍କୀ ପାଇବେ ଓସ୍‍ଜା ବାର୍ଷିକ କ୍ରୀଡା ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ହକିର ଲିଜେଣ୍ଡ ଖେଳାଳି ଓ କୋଚ ପିଟର ତିର୍କୀ ଏବଂ ସଫଳ ସାଇକ୍ଳିଷ୍ଟ ସ୍ୱସ୍ତି ସିଂହ ୨୦୨୩ ବର୍ଷର ଓସ୍‍ଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ କ୍ରୀଡା ପୁରସ୍କାର ପାଇବେ ।  ଏକଲବ୍ୟ ପୁରସ୍କାର ବିଜୟିନୀ ସ୍ୱସ୍ତିଙ୍କୁ ୨୦୨୨ ମସିହାର ସଫଳତା ପାଇଁ ବର୍ଷର ଶ୍ରେଷ୍ଠ କ୍ରୀଡାବିତ ଏବଂ ପିଟର ତିର୍କୀଙ୍କୁ ଜୀବନବ୍ୟାପୀ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଚଳିତ ମାସ ୨୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ ଗୃହରେ ଓସଜାର ଅଷ୍ଟମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ  ପିଟର ତିର୍କୀ ଓ ସ୍ୱସ୍ତି ସିଂହଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ‘ଓସ୍‍ଜା’ ସଭାପତି ସନ୍ଦିପ ମିଶ୍ର ପ୍ରକାଶ କରିଛନ୍ତି । ଦୁଇ କ୍ରୀଡା ବ୍ୟକ୍ତିତ୍ୱଙ୍କୁ ପ୍ରଶସ୍ତି ପତ୍ର, ଉତ୍ତରୀୟ ଏବଂ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ମାନୀତ କରାଯିବ । ଓସଜା ସେକ୍ରେଟାରୀ ଦେବୀ ପ୍ରସନ୍ନ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇଥିଲେ ।।

ପିଟର ତିର୍କୀ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଖେଳିଥିବା ହକି ଖେଳାଳି । ୧୯୮୨ ମସିହାରେ କୁଆଲାଲମ୍ପୁରଠାରେ ଅନୁଷ୍ଠିତ ଜୁନିୟର ହକି ବିଶ୍ୱକପରେ ସେ ଭାରତୀୟ ଦଳରୁ ଖେଳିଥିଲେ । ଜଣେ ଭଲ ଡିଫେଣ୍ଡର ଭାବରେ ଖ୍ୟାତ ଥିବା ପିଟର ବହୁ ବର୍ଷ ଓଡ଼ିଶା ପକ୍ଷରୁ ସିନିୟର ନ୍ୟାସନାଲରେ ଖେଳିଛନ୍ତି । ରାଉରକେଲା ସେଲ ଏକାଡେମୀର କୋଚ ଭାବରେ ବିରେନ୍ଦ୍ର ଲାକ୍ରା ଏବଂ ଶିଳାନନ୍ଦ ଲାକ୍ରାଙ୍କ ଭଳି ଖେଳାଳିଙ୍କୁ ସେ ସୃଷ୍ଟି କରିଛନ୍ତି । ରାଉରକେଲା ନିବାସୀ ସ୍ୱସ୍ତି ସିଂହ ବର୍ତ୍ତମାନ ଦିଲ୍ଲୀସ୍ଥିତ ଜାତୀୟ ସାଇକେଲ ଏକାଡେମୀରେ ମୁଖ୍ୟ ଜାତୀୟ କୋଚ ଭିଏନ ସିଂହଙ୍କ ଅଧିନରେ ତାଲିମ ନେଉଛନ୍ତି । ଭାରତ ପକ୍ଷରୁ ଏକାଧିକ ଆନ୍ତାର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିଥିବା ସ୍ୱସ୍ତି ୨୦୨୨ରେ ଜାତୀୟ ପ୍ରତିଯୋଗିତାରେ ରୋଡ ରେସ, ଓମନିୟମ ଏବଂ ଟ୍ରାକ ଇଭେଣ୍ଟରେ ଓଡ଼ିଶା ପାଇଁ ସଂଖ୍ୟାଧିକ ପଦକ ଜିତିଛନ୍ତି  ।
ସର୍ବଭାରତୀୟ କ୍ରୀଡା ସାମ୍ବାଦିକ ସଂଘ (ଏସଜେଏଫଆଇ)ର ଅନୁବନ୍ଧିତ ସଂସ୍ଥା ଓସ୍‍ଜା ୨୦୧୮ରୁ ବାର୍ଷିକ ପୁରସ୍କାର ପ୍ରଦାନ କରୁଛି । ପ୍ରଥମ ବର୍ଷ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ ଓ ବିଶିଷ୍ଟ ଫୁଟବଲର ଦେବ ସିଂହ, ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା କୋଚ ବ୍ରଜଭୂଷଣ ମହାନ୍ତି, ୨୦୨୦ରେ ପାରା ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଓ ଆଥଲେଟିକ୍ସ କୋଚ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ ଗ୍ରାଣ୍ଡ ମାଷ୍ଟର ସ୍ୱୟମ୍ସ ମିଶ୍ର ଓ ଆଥଲେଟିକ୍ସ କୋଚ ଅରୁଣ ଦାସ ଏବଂ ୨୦୨୨ରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା ଓ କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି ତଥା କୋଚ ଅରୂପାନନ୍ଦ ରାଉତରାୟଙ୍କୁ ଓସଜା ସମ୍ମାନ ପ୍ରଦାନ କରାଯାଇଥିଲା ।

Comments are closed.