ନୂଆଦିଲ୍ଲୀ: ନିକଟରେ ସ୍ୱିଜରଲ୍ୟାଣ୍ଡରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର l ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ମହିଳାମାନଙ୍କ ବୁର୍ଖାକୁ ନେଇ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏଭଳି ନିଷ୍ପତି ପାଇଁ ଏବେ ଦେଶ ବିଷୟରେ ସବୁଠି ଆଲୋଚନା କରାଯାଉଛି l ବୁର୍ଖାକୁ ନେଇ ଲାଗିଥିବା ଏହି ପ୍ରତିବନ୍ଧକ ଆସନ୍ତା ଜାନୁୟାରୀ 1, 2025 ରୁ ଲାଗୁ କରାଯିବ l
ବାସ୍ତବରେ, ଜନ ନିରାପତ୍ତା ଏବଂ ସାମାଜିକ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିଷେଧାଦେଶ ଆବଶ୍ୟକ ବୋଲି ଦାବି କରିଛନ୍ତି ସ୍ୱିଜରଲ୍ୟାଣ୍ଡ ସରକାର l ଏପରି ପୋଷାକ ପିନ୍ଧିବା ଦ୍ୱାରା ଚେହେରାକୁ ଲୁଚାଇବା ସହଜ ହୋଇଥାଏ ସତ କିନ୍ତୁ ଏହାଦ୍ୱାରା ଅପରାଧ ମଧ୍ୟ ବଢିଥାଏ l ଏହା ବ୍ୟତୀତ ଏହି ନିଷେଧାଦେଶ ମହିଳାମାନଙ୍କୁ ସ୍ୱାଧୀନତା ଦେବାରେ ସହାୟକ ହେବ l ଯାହା ଦ୍ୱାରା ସେମାନେ ସମାଜରେ ନିଜର ସକ୍ରିୟ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି ସରକାର l ତେବେ କେବଳ ସ୍ୱିଜରଲ୍ୟାଣ୍ଡ ନୁହେଁ ଏହା ପୂର୍ବରୁ ମଧ୍ୟ ଅନ୍ୟ ଦେଶରେ ଏହି ନିୟମ ଲାଗୁ କରାଯାଇଛି l
କହିରଖୁଛୁ ଯେ ଯେତେବେଳେ ବୁର୍ଖା ଉପରେ ପ୍ରତିବନ୍ଧକ କଥା ଉଠେ ସେତେବେଳେ ସର୍ବପ୍ରଥମେ ଫ୍ରାନ୍ସର ନାମ ଆସେ l 2010 ରେ ଆନୁଷ୍ଠାନିକ ଭାବରେ “ବୁର୍ଖା ବ୍ୟାନ” କୁ ଫ୍ରାନ୍ସ ପ୍ରଥମ ଦେଶ ଭାବରେ କାର୍ଯ୍ୟକାରୀ କରିଥିଲା । ଏହି ନିୟମ ସମଗ୍ର ଫ୍ରାନ୍ସରେ ଲାଗୁ ହୋଇଥିଲା ଏବଂ ଏହା ଅଧୀନରେ ମହିଳାମାନଙ୍କୁ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବାକୁ ଅନୁମତି ଦିଆଯାଇନଥିଲା l ଫ୍ରାନ୍ସ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା ସମାନତା, ମହିଳା ଅଧିକାର ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରୋତ୍ସାହିତ କରିବା l ମହିଳା ସଶକ୍ତିକରଣ ପାଇଁ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ଦାବି କରିଥିଲେ ଫ୍ରାନ୍ସ ସରକାର l
ଫ୍ରାନ୍ସର ଧାର୍ମିକ ନିରପେକ୍ଷତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଏହି ନିଷେଧାଦେଶ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ସେତେବେଳେ ଫ୍ରାନ୍ସ ସରକାରଙ୍କ ଏହି ନିୟମକୁ ଅନେକ ଧାର୍ମିକ ଏବଂ ମାନବ ଅଧିକାର ସଂଗଠନ ଏହାକୁ ବିରୋଧ କରିଥିଲେ। ଏହି ସଂଗଠନଗୁଡିକଙ୍କର ଆଖିବ ଅନୁସାରେ, ସରକାରଙ୍କ ଏହି ପଦକ୍ଷେପ ଧାର୍ମିକ ସ୍ୱାଧୀନତାର ଅଧିକାରକୁ ଉଲ୍ଲଂଘନ କରୁଛି ଏବଂ ମହିଳାମାନଙ୍କୁ ସେମାନଙ୍କ ପୋଷାକ ବିଷୟରେ ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ।
ଫ୍ରାନ୍ସ ପରେ ବେଲଜିୟମ ଏବଂ ହଲାଣ୍ଡ ପରି ୟୁରୋପୀୟ ଦେଶମାନେ ମଧ୍ୟ ବୁର୍ଖା ଏବଂ ନକାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ l 2011 ରେ, ବେଲଜିୟମ ମହିଳାମାନଙ୍କୁ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବାକୁ ବାରଣ କରିଥିଲା l ସେହିପରି 2015ରେ ହଲାଣ୍ଡ ସ୍କୁଲ, ଡାକ୍ତରଖାନା, ଜନସାଧାରଣ ପରିବହନ ଏବଂ ସରକାରୀ କାର୍ଯ୍ୟାଳୟ ପରି ସ୍ଥାନ ସମେତ ଅନ୍ୟ ସର୍ବସାଧାରଣରେ ବୁର୍ଖା ପିନ୍ଧିବାକୁ ବାରଣ କରିଥିଲା । ଏହି ଦେଶଗୁଡିକ ବ୍ୟତୀତ ଜର୍ମାନୀ, ଅଷ୍ଟ୍ରିଆ, ଡେନମାର୍କ ଏବଂ ନରୱେ ମଧ୍ୟ ସେମାନଙ୍କର କେତେକ ଆଇନ ବ୍ୟବସ୍ଥାରେ ବୁର୍ଖା ନିଷେଧାଦେଶ ଲାଗୁ କରିଥିଲେ ।