ନୂଆଦିଲ୍ଲୀ :ଭାରତର ଜନସଂଖ୍ୟାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି, ଯାହା ଭବିଷ୍ୟତ ପାଇଁ ଚିନ୍ତାର କାରଣ ହୋଇପାରେ। ସଂଯୁକ୍ତ ରାଷ୍ଟ୍ରର ନୂଆ ବିଶ୍ୱ ଜନସଂଖ୍ୟା ନୀତି (SWOP) ରିପୋର୍ଟ ୨୦୨୫ରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁସାରେ, ଭାରତର ମୋଟ ଜନସଂଖ୍ୟା ବୃଦ୍ଧି ହାର ଏବେ ରିପ୍ଲେସମେଣ୍ଟ ଲେଭେଲଠାରୁ ମଧ୍ୟ ତଳକୁ ଖସିଆସିଛି। ଅର୍ଥାତ୍, ଯେତେ ଲୋକଙ୍କ ମୃତ୍ୟୁ ହେଉଛି, ସେତେ ଲୋକ ଜନ୍ମ ହେଉନାହାନ୍ତି। ଅନୁମାନ କରାଯାଉଛି ଯେ ୨୦୨୫ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧.୪୬ ବିଲିୟନ୍ରେ ପହଞ୍ଚିପାରେ, କିନ୍ତୁ ମୋଟ ପ୍ରଜନନ ହାର ଏବେ ୧.୯କୁ ଖସିଆସିଛି। ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଏହା ଅତି କମରେ ୨.୧ ହେବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ କେଉଁ ବୟସ ଗୋଷ୍ଠୀର ଜନସଂଖ୍ୟା ଅଧିକ କମୁଛନ୍ତି ତାହା ଜାଣିବା ମଧ୍ୟ ଜରୁରୀ।
ସାମ୍ପ୍ରତିକ ରିପୋର୍ଟ ଅନୁସାରେ, ଭାରତରେ ଏବେ ବି ଯୁବବର୍ଗର ଜନସଂଖ୍ୟା ଏକ ବଡ଼ ଅଂଶ ରହିଛି। ଏଥିରେ ୦-୧୪ ବର୍ଷ ବୟସର ୨୪%, ୧୦-୧୪ ବର୍ଷ ବୟସର ୧୭%, ୧୦-୨୪ ବର୍ଷ ବୟସର ୨୬%, ଏବଂ ୧୫-୬୪ ବର୍ଷ ବୟସର ୬୮% ରହିଛନ୍ତି। ଏହି ଜନସଂଖ୍ୟା ସହିତ ଭାରତ ପାଖରେ ଏକ ବଡ଼ ଜନସଂଖ୍ୟା ଲାଭାଂଶ ରହିଛି। ଯଦି ସଠିକ ରଣନୀତି ଗ୍ରହଣ କରାଯାଏ, ତେବେ ଆଗାମୀ ବର୍ଷଗୁଡ଼ିକରେ ଭାରତ ଏକ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହୋଇପାରେ। ଭାରତରେ ପ୍ରଜନନ ହାର କମୁଛି, ଯାହା ଫଳରେ ବର୍ତ୍ତମାନର ଜନସଂଖ୍ୟା ଦୁଇଗୁଣ ହେବାକୁ ପ୍ରାୟ ୭୯ ବର୍ଷ ଲାଗିପାରେ। ପୂର୍ବରୁ ଏହି ସମୟ କମ ଥିଲା।
ଭାରତରେ ଜନସଂଖ୍ୟା ବୃଦ୍ଧି ହାର କମୁଥିବାରୁ ଯୁବକ ଓ କର୍ମଜୀବୀ ଲୋକଙ୍କ ସଂଖ୍ୟା ମଧ୍ୟ କମୁଛି। ଯଦିଓ ଜନସଂଖ୍ୟା ବିସ୍ଫୋରଣ ଉପରେ ନିୟନ୍ତ୍ରଣ ଲାଗିଛି, କିନ୍ତୁ ଏହାର ଏକ ବିପଦଜନକ ପାର୍ଶ୍ୱ ହେଉଛି କର୍ମଜୀବୀ ବୟସର ଯୁବକଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଛି ଏବଂ ବୃଦ୍ଧଙ୍କ ସଂଖ୍ୟା ବଢ଼ୁଛି। ଯଦି ଏହି ପ୍ରବୃତ୍ତି ଜାରି ରହେ, ତେବେ ଆଗାମୀ ୨-୩ ବର୍ଷ ମଧ୍ୟରେ ଭାରତକୁ ବୃଦ୍ଧଙ୍କ ପାଇଁ ନୂଆ ନୀତି ପ୍ରଣୟନ କରିବାକୁ ପଡ଼ିବ। ଏହା ସହିତ କମୁଥିବା ଯୁବ ଜନସଂଖ୍ୟାର ପ୍ରଭାବ ଅର୍ଥନୈତିକ ଉତ୍ପାଦନ ଉପରେ ପଡ଼ିବ। ଏହା ଜାପାନ, ଚୀନ ଓ ଅନ୍ୟ କେତେକ ଦେଶରେ ଏବେ ଦେଖାଯାଉଥିବା ସ୍ଥିତି ସଦୃଶ।
Comments are closed.