Latest Odisha News

ରଣନୀତି, ଦକ୍ଷତା ଓ ଅଭିଜ୍ଞତାର ୩ ମହାରଥୀ ଭାରତକୁ ଜିତାଇଲେ

ଦୀର୍ଘ ଦିନ ପରେ ଭାରତ ଆଇସିସି ବିଶ୍ୱକପ ଜିତିବା ଗୌରବ ଅର୍ଜନ କରିଛି । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ହାରିବା ପରେ ବିଶେଷ ଭାବେ ସମାଲୋଚିତ ହୋଇଥିଲେ ଭାରତର ୩ ମହାରଥୀ ରାହୁଲ ଡ୍ରାଭିଡ, ରୋହିତ ଶର୍ମା ଓ ବିରାଟ କୋହଲି । ଏଥର କିନ୍ତୁ ଟି୨୦ ବିଶ୍ୱକପ  ଫାଇନାଲରେ ଏହି ୩ ରଥୀଙ୍କ କୌଣସି ଭୁଲ ହୋଇ ନ ଥିଲା ।  ଅନ୍ୟ ଅର୍ଥରେ ରୋହିତଙ୍କ ରଣନୀତି, କୋହଲିଙ୍କ ଦକ୍ଷତା ଓ ଡ୍ରାଭିଡଙ୍କ ଅଭିଜ୍ଞତା ଭାରତକୁ ଶେଷ ପର୍ଯ୍ୟନ୍ତ ଲଢ଼ିବା ପାଇଁ ଶକ୍ତି ଯୋଗାଇଥିଲା । ଏହା ଦ୍ୱାରା ଯୁବ ପିଢ଼ୀ ଅନୁପ୍ରାଣୀତ ହୋଇଥିଲେ ଏବଂ ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ ଛଡେଇ ଆଣିଥିଲେ ।

କିଛି ଦିନ ତଳେ ସୋସିଆଲ ମିଡିଆରେ ଏକପ୍ରକାର କୁତ୍ସାରଟନା ଏମାନଙ୍କ ବିରୋଧରେ ଚାଲିଲା । ତାହା ହେବା ବି ସ୍ୱାଭାବିକ । ଆମେ କ୍ରିକେଟ ପାଗଳ । ଭଲ, ମନ୍ଦ କିଛି ନୁହେଁ କେବଳ ବିଜୟ ଦରକାର । ଏହା ପରେ ଯେତେବେଳେ ଏହି ୩ ମହାରଥୀଙ୍କୁ ଟି୨୦ ବିଶ୍ୱକପରେ ସାମିଲ ନ କରିବା ପାଇଁ କଥା ଉଠିଲା ଅନେକ ସମୀକ୍ଷକ ଚିନ୍ତାରେ ପଡିଥିଲେ । କେତେଜଣ ଅବଶ୍ୟ ନୂଆ ପିଢ଼ୀ ହାତରେ ଏହାକୁ ଟେକି ଦେବା ପାଇଁ ଚିନ୍ତା ମଧ୍ୟ କରିଥିଲେ ।

ସେ ଯାହା ହେଉ ବିସିସିଆଇ ସେମାନଙ୍କୁ ଶେଷ ସୁଯୋଗ ଦେଇଥିଲା । ସମ୍ମାନ ସହ ଅବସର ନିଅ କିମ୍ବା ପରେ ବାଧ୍ୟତାମୂଳକ ଭାବେ ବିଦାୟ ନେବ । ରୋହିତ ଦଳର ଅଧିନାୟକ ଘୋଷଣା ହେବା ପରେ ଟିମରେ କିଛିଟା ସ୍ଥିରତା ଆସିଥିଲା । ତା ପରେ ଗୋଟିଏ ଦୁଇଟି ସିରିଜ ଏବଂ ଆଇପିଏଲର ଲମ୍ବା କାର୍ଯ୍ୟସୂଚୀ ମଧ୍ୟରେ ରଣନୀତିର ମଞ୍ଜି ବୁଣୁଥିଲେ ଏହି ୩ ମହାରଥୀ । ଶେଷରେ ଅଧିକ ଅଲରାଉଣ୍ଡର ସପକ୍ଷରେ ସେମାନେ ରହିଥିଲେ । ଯାହା ଫଳରେ ୮ ପର୍ଯ୍ୟନ୍ତ ଭାରତର ବ୍ୟାଟିଂ ମଜୁଭତ ରହିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ବିଜୟୀ ଦଳରେ ପରିବର୍ତନ ନ କରିବା ।

ଫାଇନାଲରେ ଶିବମ ଦୁବେଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ଖେଳାଇବା ଦାବୀ ହୋଇଥିଲେ । ସ୍ଥିତପ୍ରଜ୍ଞ ରୋହିତ ଓ ଡ୍ରାଭିଡ ନିଷ୍ପତିରେ ଅଟଳ ରହିଥିଲେ । ଖରାପ ଫର୍ମରେ ଥିବା କୋହଲିଙ୍କ ଅର୍ଡରରେ ପରିବର୍ତନ କରିବା ପାଇଁ ମଧ୍ୟ ଚାପ ପଡିଥିଲା । ମାତ୍ର ଏହାର ଫରକ ଏହି ଟିମରେ ପଡି ନ ଥିଲା । ରୋହିତ ନେତୃତ୍ୱରେ ଏବଂ ଡ୍ରାଭିଡ ପ୍ରଶିକ୍ଷଣରେ ଖେଳାଳିମାନେ ଧୀରେ ଧୀରେ ମନୋମାଳିନ୍ୟ ଭୁଲି ଗୋଟିଏ ଟିମ ହୋଇଥିଲେ । ଭାରତ ବିଜୟରେ ଯଶସ୍ୱୀ ଜୈସୱାଲଙ୍କ ନୃତ୍ୟ ଏବଂ ୟୁଜଭେନ୍ଦ୍ର ଚହଲ ଉତ୍ସାହିତ ହେବା ଏହାର ଉଦାହରଣ ।

ଫାଇନାଲରେ କୋହଲି, ଦୁବେ ଭଲ ଖେଳିଲେ । ଯଦି ରୋହିତ କୋହଲି ତଳେ କିମ୍ବା ଦୁବେଙ୍କ ବଦଳରେ ସାମସନଙ୍କୁ ଖେଳାଇଥାନ୍ତେ ତେବେ ଏ ଭଳି ଫଳାଫଳ ବାହାରିବ ବୋଲି ମାନେ ନ ଥିଲା । ନିଃସନ୍ଦେହ ଯଶପ୍ରୀତ ବୁମରାହ, ରୋହିତ, ହାର୍ଦ୍ଦିକ ଓ ଅକ୍ଷର ପଟେଲ ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ କରିଥିଲେ । ଫାଇନାଲରେ ପୂନର୍ବାର ଭାରତ ବିପଦରେ ପଡିଥିଲା । ଇନ ଫର୍ମ ରୋହିତ, ସୂର୍ଯ୍ୟକୁମାର ଆଉଟ ହେବା ପରେ ସବୁ ଆଶା କୋହଲି ଉପରେ ରହିଥିଲେ । ସେ ବିଶ୍ୱାସ ଭାଙ୍ଗି ନ ଥିଲେ । ଅକ୍ଷରଙ୍କୁ ଉପରେ ପଠାଇବା ରଣନୀତି ମଧ୍ୟ କାମ କରିଥିଲା । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ପରେ ଶିବମ ଦୁବେ ମଧ୍ୟ ଭଲ ଖେଳିଥିଲେ ।

୧୭୭ ରନର ଟାର୍ଗେଟ ଭାରତକୁ ଲଢ଼ିବା ପାଇଁ ଶକ୍ତି ଯୋଗାଇଥିଲା । ଭଲ ବୋଲିଂ ଲାଇନ ଅପ ନେଇ ବିଶ୍ୱାସ ମଧ୍ୟ ରହିଥିଲା । ତଥାପି ହେନରୀ କ୍ଲାସେନଙ୍କ ପ୍ରଦର୍ଶନ ଓ ଅକ୍ଷରଙ୍କ ଓଭରରେ ୨୪ ରନ ଭାରତ ହାତମୁଠାରୁ ମ୍ୟାଚକୁ ଛଡେଇ ନେଇଥିଲା । ନୀରବତା ଛାଇ ଯାଉଥିଲା । ହତାଶ ଭାରୀ ହେଉଥିଲା ତଥାପି ମନ ଭିତରେ ବିଶ୍ୱାସ ଥିଲା ।

୩୦ ବଲରେ ୩୦ ରନଥିବା ବେଳେ ବୁମରାହ ତାଙ୍କ ଓଭରରେ ୪ ରନ ଦେଇ ରୋମାଂଚ ଭରିଥିଲେ । ୨୪ ବଲରେ ୨୬ ରନ ଆବଶ୍ୟକ ହେଉଥିବା ବେଳେ ବୋଲିଂ କରିଥିଲେ ହାର୍ଦ୍ଦିକ… ପ୍ରଥମ ବଲରେ କ୍ଲାସେନଙ୍କ ୱିକେଟ ନେଇ ଭାରତକୁ ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲେ । ଏହି ଓଭରର ସମାପ୍ତି ପରେ ୩ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୨ ରନ ଆବଶ୍ୟକ ହେଉଥିଲା ।

ପୁଣି ବୁମ ବୁମ ବୁମରାହ ଯିଏ ବଲ ମାଧ୍ୟମରେ କଥା କହିଥାନ୍ତି କମାଲ ଦେଖାଇଥିଲେ । ସେ ତାଙ୍କ ୪ର୍ଥ ଓଭରରେ ମାତ୍ର ୨ ରନ ଦେବା ସହ ମାର୍କୋ ଜାନସେନଙ୍କ ୱିକେଟ ମଧ୍ୟ ନେଇଥିଲେ । ୨ ଓଭରରେ ୨୦ ରନ ଆବଶ୍ୟକ । ଆର୍ଶଦୀପ ସିଂ ଓ ହାର୍ଦ୍ଦିକଙ୍କ ଉପରେ ଭାରତର ଭାଗ୍ୟ ଏବଂ ଡେଭିଡ ମିଲରଙ୍କ ଶଟ ଉପରେ ଦକ୍ଷିଣ ଆଫ୍ରିକାର ଭରୋଷା ରହିଥିଲା । ଅର୍ଶଦୀପ ୧୯ ତମ ଓଭରରେ ୪ ରନ ଦେଇ ଭାରତକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ ।

ଶେଷ ଓଭରରେ ୧୬ ରନ । ହାର୍ଦ୍ଦିକଙ୍କ ପ୍ରଥମ ବଲରେ ମିଲର ଖେଳିଥିଲେ ବଡ ଶଟ….. । ବାଉଣ୍ଡାରୀ ଲାଇନ ଉପରେ ଏକ ନିଶ୍ଚିତ ଛକା ଚମତ୍କାର ଫିଲ୍ଡିଂ ମାଧ୍ୟମରେ ସୂର୍ଯ୍ୟକୁମାର କ୍ୟାଚରେ ପରିଣତ କରିଥିଲେ । ସେ ସାଜିଥିଲେ ଭାରତୀୟ ବିଜୟର ପୋଷ୍ଟର ବୟ । ଏହା ପରେ ବାକି କାର୍ଯ୍ୟ ହାର୍ଦ୍ଦିକ ପୂରଣ କରିଥିଲେ ଆଉ ଭାରତ ହୋଇଥିଲା ଚାମ୍ପିୟନ ।

ଡ୍ରାଭିଡ, ରୋହିତ, କୋହଲିଙ୍କୁ ଆମେ ଆଉ ଆନ୍ତର୍ଜାତୀୟ ଟି୨୦ରେ ଦେଖିବାନି । ଯେଉଁମାନେ ସମାଲୋଚିତ କରୁଥିଲେ ସେମାନେ ଏବେ ଲୋତକ ଭରା ଆଖିରେ କ୍ଷମା ମାଗୁଛନ୍ତି । ଏଥର ଯୁବ ପିଢ଼ୀ ଏହି ଦାୟିତ୍ୱ ତୁଲାଇବେ ଯାହା ଶିକ୍ଷା ଦେବା କଥା ୩ ରଥୀ ଦେଇଛନ୍ତି । ଆଶା ପଛକୁ ଚାହିଁବେନି ।

Leave A Reply

Your email address will not be published.