ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଏଥିରେ ପାକିସ୍ତାନର ଏଂଟ୍ରି ହୋଇଛି । ଭାରତରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳିବାକୁ ବାଂଲାଦେଶ ମନା କରିସାରିଛି । ଅବଶ୍ୟ ଆଇସିସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ ହେବ ନାହିଁ ବୋଲି କହି ସାରିଛି । ଏବେ ବାଂଲାଦେଶ ମ୍ୟାଚ ଆୟୋଜନ କରିବା ନେଇ ପାକିସ୍ତାନ ମୁହଁ ଖୋଲିଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତରେ ଖେଳିବାକୁ ବାଂଲାଦେଶ ମନା କରୁଛି । ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୀତି ବିବାଦ ସୃଷ୍ଟି ହେବା ପରେ ଭାରତ ଆପିଏଲରୁ ମୁସ୍ତାଫିଜୁର ରହେମାନଙ୍କୁ ରିଲିଜ କରିଥିଲା ।
ଏହାର ଜବାବରେ ବାଂଲାଦେଶ ଟି୨୦ ବିଶ୍ୱକପ ମ୍ୟାଚ ଭାରତରେ ଖେଳିବ ନାହିଁ ବୋଲି ମନା କରି ଦେଇଛି । ଭାରତ ବଦଳରେ ଅନ୍ୟ ଯେ କୌଣସି ସ୍ଥାନରେ ମ୍ୟାଚ ଖେଳିବା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ବାଂଲାଦେଶ ବୋର୍ଡ ସ୍ପଷ୍ଟ କରିଛି । ପାକିସ୍ତାନ ଏହି ମ୍ୟାଚ ଆୟୋଜନ କରିବା ପ୍ରସ୍ତାବ ଦେଇ ବିବାଦକୁ ଆହୁରି ବଢ଼ାଇଛି । ବାଂଲାଦେଶ ୪ଟି ମ୍ୟାଚ ଭାରତରେ ଖେଳିବାକୁ ଅଛି । ଏଥିରେ ୩ଟି କୋଲକାତାରେ ଓ ଗୋଟିଏ ମ୍ୟାଚ ମୁମ୍ବାଇରେ ଖେଳାଯିବ । ଆଇସିସି ପାକିସ୍ତାନର ପ୍ରସ୍ତାବକୁ ଗ୍ରହଣ କରିବା ସମ୍ଭାବନା ବହୁତ କମ । ବାଂଲାଦେଶ ଓ ପାକିସ୍ତାନ ବୋର୍ଡ ଏକତ୍ର ହେବା ବିସିସିଆଇକୁ ସାମାନ୍ୟ ଅସୁବିଧାରେ ପକାଇଛି ।