ମୁମ୍ବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଚାମ୍ପିୟନ ହେବା ପାଇଁ ଭାରତକୁ ୨ଟି ସୁଯୋଗ ମିଳିବ । ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟିମ ଇଣ୍ଡିଆ ଆଶାନୁରୂପ ଦଳଗତ ପ୍ରଦର୍ଶନ କରିପାରି ନାହିଁ । ମ୍ୟାଚରେ ଜଣେ କିମ୍ବା ଦୁଇ ଜଣଙ୍କ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଭାରତ ସ୍ଥିତି ବଜାୟ ରଖିଛି ।
ଟି୨୦ରେ ପାୱାର ପ୍ଲେରେ ରନ କରିବା ଓ କମ ୱିକେଟ ହରାଇବା ଗୁରୁତ୍ୱପୂର୍ଣ୍ଣ । ଭାରତ ପାୱାରପ୍ଲେରେ ନିୟମିତ ଭାବେ ୱିକେଟ ହରାଇଛି । ଯାହା କି ଏକ ଚିନ୍ତାର କାରଣ । ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ଅଭିଷେକ ଶର୍ମା ଓ ଈଶାନ କିଶାନ ଶସ୍ତାରେ ଆଉଟ ହେବା ଫଳରେ ଭାରତ ଚାପରେ ପଡିଥିଲା । ସଞ୍ଜୁ ସାମସନ ସ୍ମରଣୀୟ ଇନିଂସ ଖେଳିବା ଯୋଗୁ ଭାରତ ସେମିକୁ ଉନ୍ନୀତ ହୋଇଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ବି ସମ୍ପୂର୍ଣ୍ଣ ଲୟରେ ନାହାନ୍ତି । ଜିମ୍ବାୱେ ବିପରେ ୧୩ ବଲରୁ ୩୩ ରନ ଛାଡିଦେଲେ ଅନ୍ୟ ମ୍ୟାଚରେ ଭଳ ବ୍ୟାଟିଂ କରି ନାହାନ୍ତି ।
ସେହିପରି ପେସ ବୋଲିଂ ବିଭାଗରେ ଭାରତ ସମ୍ପୂର୍ଣ୍ଣ ଭାବେ ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ଉପରେ ନିଭୟର କରୁଛି । ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ଶିବମ ଦୁବେ ସେମାନଙ୍କ ଦକ୍ଷତା ମୁତାବକ ବୋଲିଂ ପ୍ରଦର୍ଶନ କରି ନାହାନ୍ତି । ଫିଲ୍ଡିଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଥିଲେ ମଧ୍ୟ ଭାରତ ଏଥିରେ ସମ୍ପୂର୍ଣ୍ଣ ଭାବେ ନିରାଶ କରୁଛି । ସେମିଫାଇନାଲରେ ଏହି ତ୍ରୁଟି ଆଦୌ ଗ୍ରହଣୀୟ ହେବନି । ଅଭିଷେକ ଶର୍ମା ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଅନ୍ୟ ମ୍ୟାଚରେ ଫେଲ ମାରିଛନ୍ତି । ଅଭିଷେକ ସେମିଫାଇନାଲରେ ଭଲ ପ୍ରଦର୍ଶନ କରିବା ଜରୁରୀ । ଅନ୍ୟଥା ଏହା ତାଙ୍କ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ । ଏହା ସତ୍ୱେ ଭାରତ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରୁଛି । ଦଳର ବିଜୟ ପ୍ରତିଶତ ମଧ୍ୟ ସନ୍ତୋଷଜନକ । ସୂର୍ଯ୍ୟକୁମାର ଓ ଅଭିଷେକଙ୍କ ନିକଟରୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ ଆଶା କରାଯାଉଛି ।