ଅହମ୍ମଦାବାଦ: ଭାରତ ଟି୨୦ ବିଶ୍ୱକପ ୨୦୨୬ ସଂସ୍କରଣରେ ଚାମ୍ପିୟନ ହୋଇଛି । ଏହି ବିଜୟରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଥିଲା । ବୁମରାହଙ୍କ ଅଫ କଟର ବୋଲିଂର ଜବାବ ବ୍ୟାଟ୍ସମ୍ୟାନଙ୍କ ପାଖରେ ନ ଥିଲା । ଆନ୍ତର୍ଜାତୀୟ ଟି୨୦ରେ ପେସ ବୋଲରଙ୍କ ଏହି ବୋଲିଂ ଏବେ ଅମୋଘ ଅସ୍ତ୍ର ସାଜିଛି । ଆଇପିଏଲରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ପେସରଙ୍କ ନିକଟରେ ଲେଗ କଟର, ନକଲ ବଲ ଓ ସ୍ପିଲ୍ଟ ଫିଗର ପରି ବୋଲିଂ ବିକଳ୍ପ ଥିଲେ ମଧ୍ୟ ଅଫ କଟରରେ ବେଶୀ ସଫଳତା ମିଳୁଛି । ଟି୨୦ ବିଶ୍ୱକପର ୨୦୨୬ ସଂସ୍କରଣରେ ପେସ ବୋଲରମାନେ ୩୫୭ ୱିକେଟ ନେଇଥିଲେ । ଏଥିରେ ଅଫ କଟରରୁ ୬୮ ୱିକେଟ ମିଳିଥିଲା ।
ଏଥର ଓଭରାଲ ୭୯୫ ଅଫକଟର ପକା ଯାଇଥିଲା । ଗତ ବର୍ଷ ୪୮୫ ଥିବା ବେଳେ ଏଥର ଏଥିରେ ବୃଦ୍ଧି ଘଟିଛି । ବୁମରାହଙ୍କ ବ୍ୟତୀତ ଲୁଙ୍ଗି ଏନଗିଡି, ଡ୍ୱେନ ବ୍ରାଭୋ, ମୁସ୍ତାଫିଜୁର ରହେମାନ ଓ ହର୍ଷଲ ପଟେଲ ଅଫ କଟର ବୋଲିଂ ଭଲ ଭାବେ କରି ପାରନ୍ତି । ଏଥିରେ ପେସ ବୋଲର ବୋଲିଂ କରିବା ପରେ ବଲ ଧୀମା ରୁହେ ଏବଂ ଏକପ୍ରକାର ଅଫ ସ୍ପିନ ସଦୃଶ ୱିକେଟ ଭିତରକୁ ଆସିଥାଏ । ବ୍ୟାଟ୍ସମ୍ୟାନ ଏଲବିଡବ୍ଲ୍ୟୁ ,କ୍ୟାଚ ଏବଂ ବୋଲ୍ଡ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ବୁମରାହ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ୪ ଓଭରରେ ୧୮ ବଲ ଅଫ କଟର ପକାଇଥିଲେ ।