Latest Odisha News

BREAKING NEWS

ବିଶ୍ୱକପ୍ ସେମିଫାଇନାଲ : ପ୍ରଥମ ଥର ଫାଇନାଲ ଖେଳିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ

ନୂଆଦିଲ୍ଲୀ: ବିଜନେସ୍ ଏଣ୍ଡରେ ପହଂଚିଛି ଟି-୨୦ ବିଶ୍ୱକପ୍ । ଏବେ ସେମିଫାଇନାଲ ଉପରେ କ୍ରିକେଟପ୍ରେମୀଙ୍କ ନଜର । ସୁପର ଏଇଟ ପର୍ଯ୍ୟାୟ ପରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଭାରତ ଓ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୧୨ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ସେମିଫାଇନାଲକୁ ଯାଇଛି । ଆଫଗାନିସ୍ତାନ ହେଉଛି ଟୁର୍ଣ୍ଣାମେଂଟର ସରପ୍ରାଇଜ୍ ସେମିଫାଇନାଲିଷ୍ଟ । ଯେ କୌଣସି ଆଇସିସି ବିଶ୍ୱକପରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ । ମ୍ୟାଚ ୨୭ ତାରିଖରେ ଭାରତୀୟ ସମୟ ସକାଳ ୬ଟାରେ ତ୍ରିନିନାଦ ଆଣ୍ଡ୍ ଟବୋଗୋ ସ୍ଥିତ ବ୍ରାୟନ ଲାରା କ୍ରିକେଟ ଏକାଡେମୀରେ ଖେଳାଯିବ ।

ସେମିଫାଇନାଲରେ ଜିତିବା ଦଳ ପ୍ରଥମ ଥର ପାଇଁ ଫାଇନାଲରେ ଖେଳିବ । ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଂଟରେ ନକଆଉଟ ରାଉଣ୍ଡରେ ଝୁଂଟୁଥିବାରୁ ‘ଚୋକର୍‌’ ଟିମ୍ ଭାବେ ବିବେଚିତ ହୁଏ ଦକ୍ଷିଣ ଆଫ୍ରିକା । ଦଳର ରେକର୍ଡ ବି ସେୟା କହୁଛି । ଏଥରର ଟୁର୍ଣ୍ଣାମେଂଟ ପୂର୍ବରୁ ଉଭୟ ଦିନିକିଆ ଓ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ମୋଟ ୭ ଥର ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପ୍ରତ୍ୟେକ ଥର ପରାସ୍ତ ହୋଇଛି । କେବେ ବି ଫାଇନାଲରେ ପହଂଚିପାରିନି ଦଳ । ଏଥର ଅଷ୍ଟମ ପ୍ରୟାସରେ ଦଳ କଣ ଫାଇନାଲରେ ପହଂଚିବ ନା ପୁଣି ଝୁଂଟିବ, ତାହା ଉପରେ ସମସ୍ତଙ୍କର ନଜର ରହିବ ।

ଚଳିତ ବିଶ୍ୱକପର ଗ୍ରୁପ୍ ଓ ସୁପର ଏଇଟ ପର୍ଯ୍ୟାୟରେ ଅପରାଜେୟ ରେକର୍ଡ ସହ ସେମିଫାଇନାଲରେ ପ୍ରବେଶ କରିଛ ଦକ୍ଷିଣ ଆଫ୍ରିକା । କିନ୍ତୁ ପ୍ରାୟ ସବୁ ମ୍ୟାଚ୍ ଅଳ୍ପକେ ଜିତିଛି । ନେଦରଲ୍ୟାଣ୍ଡସ,ନେପାଳ ଓ ବାଂଲାଦେଶ ଗ୍ରୁପ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାକୁ କଡା ଟକ୍କର ଦେଇଥିଲେ । ଅତି ଅଳ୍ପ ବ୍ୟବଧାନରେ ହିଁ ବିଜୟୀ ହୋଇଥିଲା ଦଳ । ସୁପର ଏଇଟରେ ଆମେରିକା ଓ ଇଂଲଣ୍ଡ ମଧ୍ୟ ଦକ୍ଷିଣ ଆଫ୍ରିକାର କଡା ମୁକାବିଲା କରି ଅଳ୍ପକେ ପରାସ୍ତ ହୋଇଥିଲେ । ଏ ଦୃଷ୍ଟିରୁ ସେମିଫାଇନାଲରେ ଆଫଗାନିସ୍ତାନ ପରି ଏକ ଲଢୁଆ ଦଳ ବିପକ୍ଷରେ ଦକ୍ଷିଣ ଆଫ୍ରିକାକୁ ବେଶ୍ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ ।

ଦକ୍ଷିଣ ଆଫ୍ରିକା ପାଖରେ ରହିଛି ପାୱାରଫୁଲ୍ ବ୍ୟାଟିଂ ଲାଇନ ଅପ୍ । ବିଗ୍ ହିଟର ଓ ମ୍ୟାଚ୍ ୱିନର ରହିଛନ୍ତି । ଦଳର ବୋଲିଂ ଆକ୍ରମଣ ବି ସନ୍ତୁଳିତ ରହିଛି । ହେଲେ ଉନ୍ନତ ସ୍ପିନ ଆଟାକ ଆଗରେ ଦଳର ବ୍ୟାଟସମ୍ୟାନମାନେ ଦୁର୍ବଳ ପ୍ରଦର୍ଶନ କରିବା ନଜିର ରହିଛି । ଏକ ବିଶ୍ୱକପ୍ ସେମିଫାଇନାଲ୍ ଓ ଆଫଗାନିସ୍ତାନ ଭଳି ଏକ ଲଢୁଆ ଟିମ୍ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଚାପମୁକ୍ତ ହୋଇ ଖେଳିପାରିବ ତ ? ଚୋକର ଟ୍ୟାଗରୁ ମୁକୁଳି ପାରିବ ତ ?

ପ୍ରଥମ ଥର ପାଇଁ କୌଣସି ବିଶ୍ୱକପ୍‌ର ସେମିଫାଇନାଲରେ ପହଂଚିଥିବା ଆଫଗାନିସ୍ତାନର ମନୋବଳ ବେଶ୍ ଦୃଢ ରହିଛି । ଚଳିତ ଟୁର୍ଣ୍ଣାମେଂଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସବୁ ପୂର୍ବାନୁମାନ ଓଲଟପାଲଟ କରିଛି । ଗ୍ରୁପ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ଓ ସୁପର ଏଇଟରେ ଟାଇଟଲ ଫେଭରିଟ ଅଷ୍ଟ୍ରେଲିଆ ଓ ବାଂଲାଦେଶକୁ ମାତ୍ ଦେଇଛି ଆଫଗାନିସ୍ତାନ । ଏ ଯାଏଁ ପ୍ରଭାବଶାଳୀ ପ୍ରଦର୍ଶନ କରି ଆଫଗାନିସ୍ତାନ ଟିମ୍ ଅଫ ଦି ଟୁର୍ଣ୍ଣାମେଂଟ ହୋଇଛି ବୋଲି କହିଲେ କିଛି ଭୁଲ୍ ହେବ ନାହିଁ । କ୍ୟାପଟେନ ରସିଦ ଖାନଙ୍କ ନେତୃତ୍ୱରେ ଦଳର ସ୍ପିନ ଆଟାକ ବେଶ୍ ଉନ୍ନତ ଜଣାପଡୁଛି । ଦଳର ପେସ ଆଟାକ ମଧ୍ୟ ସନ୍ତୁଳିତ ରହିଛି । ବ୍ୟାଟିଂରେ ଦଳକୁ ଅଧିକ ଉନ୍ନତ ଓ ଆକ୍ରମଣାତ୍ମକ ହେବାକୁ ପଡିବ । ବିଶେଷକରି ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଭଳି ଏକ ଶକ୍ତିଶାଳୀ ଆଟାକ୍ ଥିବା ଟିମ୍ ବିପକ୍ଷରେ ଖେଳୁଥିବାରୁ ଆଫଗାନିସ୍ତାନର ବ୍ୟାଟସମ୍ୟାନମାନେ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡିବ ।

ସେମିଫାଇନାଲରେ ଆଫଗାନିସ୍ତାନ କଣ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବ ? ଦକ୍ଷିଣ ଆଫ୍ରିକା କଣ ଅଷ୍ଟମ ପ୍ରୟାସରେ ଏକ ବିଶ୍ୱକପ୍ ସେମିଫାଇନାଲରୁ ଆଗକୁ ଯାଇପାରିବ ? ସେମିଫାଇନାଲରେ ଯିଏ ବି ଜିତିବ , ସେ ପ୍ରଥମ ଥର ଫାଇନାଲ ଖେଳିବ । ତେଣୁ ଲଢେଇ ରୋମାଂଚକର ହେବା ଆଶା କରାଯାଉଛି ।

Comments are closed.