Latest Odisha News

BREAKING NEWS

୨୦୧୪ ଟି୨୦ ବିଶ୍ୱକପ: ଫାଇନାଲରେ ହାରିଲା ଭାରତ

୨୦୧୪ ଟି୨୦ ବିଶ୍ୱକପ ବାଂଲାଦେଶରେ ଆୟୋଜିତ ହୋଇଥିଲା । ପ୍ରଥମ ଥର ପାଇଁ ୧୬ଟି ଟିମକୁ ନେଇ ଏହା ଆୟୋଜିତ ହୋଇଥିଲା । ଫାଇନାଲରେ ଶ୍ରୀଲଙ୍କା ନିକଟରୁ ପରାଜିତ ହୋଇ ଭାରତ ଚାମ୍ପିୟନ ହେବା ସୁଯୋଗ ହାତଛଡା କରିଥିଲା । ଶ୍ରେଷ୍ଠ ୮ଟି ସିଧାସଳଖ ସୁପର ଟେନରେ ପ୍ରବେଶ କରିଥିଲେ । ପ୍ରଥମ ରାଉଣ୍ଡରେ ୮ଟି ଟିମକୁ ନେଇ କ୍ୱାଲିଫାୟର ଖେଳା ଯାଇଥିଲା । ଏଥିରୁ ୨ଟି ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ସୁପର ଟେନର ଗ୍ରୁପ ୧ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ନେଦରଲାଣ୍ଡସ ରହିଥିବା ବେଳେ ଗ୍ରୁପ ୨ରେ ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ରହିଛନ୍ତି ।

ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୩୦ ରନ କରିଥିଲା । ବିରାଟ କୋହଲିଙ୍କ ୩୬ ଓ ସୁରେଶ ରାଇନାଙ୍କ ୩୫ ରନ ବଳରେ ଭାରତ ୧୮.୩ ଓଭରରେ ୩ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ଦ୍ୱିତୀୟ ମ୍ୟାଚରେ ମଧ୍ୟ ୱେଷ୍ଟଇଣ୍ଡିଜକୁ ଭାରତ ସହଜରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୨୯ ରନ କରିଥିଲା । ରୋହିତ ଶର୍ମାଙ୍କ ୬୨ ରନ ବଳରେ ଭାରତ ୧୯.୪ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା ।

ତୃତୀୟ ମୁକାବିଲାରେ ବାଂଲାଦେଶକୁ ଭାରତ ୮ ୱିକେଟରେ ପରାସ୍ତ କରିଥିଲା । ବାଂଲାଦେଶ ୧୩୯ ରନର ବିଜୟ ଲକ୍ଷ୍ୟ ଟିମ ଇଣ୍ଡିଆ ସମ୍ମୁଖରେ ରଖିଥିଲା । ବିରାଟ କୋହଲି ଆକର୍ଷଣୀୟ ୫୭ ରନ କରିଥିଲେ । ୧୮.୩ ଓଭରରେ ଭାରତ ୨ ୱିକେଟ ହରାଇ ବିଜୟୀ ହୋଇଥିଲା । ଶ୍ରୀଲଙ୍କା-ୱେଷ୍ଟଇଣ୍ଡିଜ ଓ ଭାରତ-ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଥିଲେ ।

ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୭୨ ରନ ସଂଗ୍ରହ କରିଥିଲା । ଫାପ ଡୁ ପ୍ଲେସି ୫୮ ରନ କରିଥିଲେ । ଜବାବରେ ଭାରତ ଦଳଗତ ଭଲ ପ୍ରଦର୍ଶନ କରି ମ୍ୟାଚକୁ ଶେଷ ଓଭରରେ ଜିତି ନେଇଥିଲା । ବିରାଟ କୋହଲି ୭୨(ନଟଆଉଟ), ଅଜିଙ୍କ୍ୟ ରାହାନେ ୩୨, ରୋହିତ ଶର୍ମା ୨୪ ଓ ସୁରେଶ ରାଇନା ୨୧ ରନ କରିଥିଲେ । ୱେଷ୍ଟଇଣ୍ଡିଜକୁ ହରାଇ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିଥିଲା ।

ଫାଇନାଲ ହର୍ଡଲ୍ସରେ ଭାରତ ଝୁଂଟି ପଡିଥିଲା । ବିରାଟ କୋହଲି(୭୭)ଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ ବଡ ସ୍କୋର କରି ନ ପାରିବା ଭାରତ ବଡ ସ୍କୋର କରିପାରି ନ ଥିଲା । ଭାରତ ୧୩୧ ରନର ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଥିଲା । ଶ୍ରୀଲଙ୍କା ୧୭.୫ ଓଭରରେ ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା । କୁମାର ସଙ୍ଗକାରା ୫୨, ମାହେଲା ଜୟବର୍ଦ୍ଧନେ ୨୪ ଓ ଥିସରା ପେରିରା ୨୩ ରନ କରିଥିଲେ ।

Comments are closed.