Latest Odisha News

BREAKING NEWS

ପାକିସ୍ତାନର ଆତଙ୍କୀ ଚେହେରା

ନୂଆଦିଲ୍ଲୀ: ତହବୁର ରାଣା, କସାବ, ଲାଦେନ, ହାଫିଜ ସୟିଦ, ମସୁଦ ଅଜହର…ପଦାରେ ପଡୁଛି ପାକିସ୍ତାନର ଆତଙ୍କୀ ଚେହେରା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଭାରତ ଆସିବା ପରେ ପାକିସ୍ତାନର ଅସଲ ସତ ସାମନାକୁ ଆସିଛି। ଏବେ ଦେଶ ସହ ରାଣାର ଲିଙ୍କ ମାନୁନି ପାକିସ୍ତାନ । କହୁଛି, ରାଣା କାନାଡା ନାଗରିକ । ତେବେ ସତ କଣ, ତାହା ସାରା ଦୁନିଆ ଦେଖୁଛି । ଦାଉଦ ଇବ୍ରାହିମ, ମସୁଦ ଅଜହର, ହାଫିଜ ସୟିଦ ପରି ଆତଙ୍କବାଦୀ ପାକିସ୍ତାନୀ ସରକାରଙ୍କ ସୁରକ୍ଷାରେ ରହିଛନ୍ତି । ଭାରତ ସେମାନଙ୍କ ବିରୋଧରେ ଆକ୍ସନ୍ ନେବାକୁ ଯେତେ ଅପିଲ୍ କଲେ ବି ଚୁପ୍ ରହି ଆତଙ୍କୀଙ୍କୁ ସୁରକ୍ଷା ଦେଉଛି ପାକିସ୍ତାନ ।

ଭାରତରେ ତହବୁର ରାଣା

ଆମେରିକାର ଚିକାଗୋରେ ୨୦୦୯ରେ ତହବୁର ରାଣାକୁ ଗିରଫ କରିଥିଲା ଏଫବିଆଇ । ମୁମ୍ବାଇ ଆକ୍ରମଣ ସହ ତା ନାଁରେ କୋପେନହେଗନ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତି ଅଭିଯୋଗ ରହିଛି। ମୁମ୍ବାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ଡେଭିଡ ହେଡଲିର ସାକ୍ଷ୍ୟ ଆଧାରରେ ରାଣାକୁ ୧୪ବର୍ଷ ଜେଲ୍ ଦଣ୍ଡ ଦିଆଯାଇଥିଲା । ଏବେ ତାକୁ ଭାରତ ଆଣିଛନ୍ତି ଏନଆଇଏ ଓ ର । ପୂର୍ବତନ ପାକିସ୍ତାନୀ ସାମରିକ ଡାକ୍ତର ତହବୁର ରାଣା ପରେ କାନାଡା ନାଗରିକତା ଗ୍ରହଣ କରିଥିଲା । ତା ନାଁରେ ଭାରତରେ ହତ୍ୟା, ଆତଙ୍କବାଦୀ ଗତିବିଧି ଭଳି ୧୦ରୁ ଅଧିକ ସଂଗୀନ ମାମଲା ରହିଛି । ରାଣାକୁ ପଚରାଉଚରା ବେଳେ ୨୬/୧୧ ଆକ୍ରମଣ ଘଟଣାରେ ପାକିସ୍ତାନର ଭୂମିକା ନେଇ ଅଧିକ ତଥ୍ୟ ମିଳିବ ବୋଲି ତଦନ୍ତକାରୀ ସଂସ୍ଥା ଆଶା ରଖିଛନ୍ତି ।

କସାବ ଦେଖାଇଥିଲା ପାକିସ୍ତାନ ସତ

୨୬/୧୧ ଆକ୍ରମଣ ଘଟଣା ପରେ ଜୀବନ୍ତ ଧରା ପଡିଥିଲା ଅଜମଲ କସାବ । ୨୦୦୮ ନଭେମ୍ବର ୨୬ରେ ୧୦ଜଣ ଆତଙ୍କୀ ପାକିସ୍ତାନରୁ ଭାରତକୁ ସମୁଦ୍ର ପଥରେ ଆସି ଛୋଟ ଛୋଟ ଗ୍ରୁପରେ ବାଣ୍ଟି ହେବା ସହ ଯୋଜନା ଅନୁସାରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ସେମାନଙ୍କୁ କରାଚୀ କଣ୍ଟ୍ରୋଲ ରୁମରୁ ନିର୍ଦ୍ଦେଶ ଦେଉଥିଲେ ଆତଙ୍କବାଦୀ ହାଫିଜ ସୟିଦ ଓ ଜକିଉର ରେହମାନ । ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ କସାବକୁ ୨୦୧୨ରେ ଫାଶୀ ଦିଆଯାଇଥିଲା । ତେବେ ମୁମ୍ବାଇ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଜଣାପଡିଥିଲା ।

ଲାଦେନକୁ ଘରେ ପଶି ମାରିଲେ

ଆତଙ୍କବାଦୀଙ୍କ ଆଡ୍ଡା କୁହାଯାଉଥିବା ପାକିସ୍ତାନରେ ପଶି ଅଲକାଏଦା ମୁଖ୍ୟ ତଥା ୯/୧୧ର ମାଷ୍ଟରମାଇଣ୍ଡ ଓସାମା ବିନ ଲାଦେନଙ୍କୁ ମାରିଥିଲେ ଆମେରିକୀୟ ଏଜେନ୍ସି । ୨୦୦୧ରେ ଲାଦେନର ନିର୍ଦ୍ଦେଶରେ ଓ୍ବାର୍ଲଡ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ହୋଇଥିଲା । ଏଥିରେ ପ୍ରାୟ ସାଢେ ତିନି ହଜାର ଲୋକଙ୍କ ଜୀବନ ଯାଇଥିଲା । ଘଟଣାର ୧୦ବର୍ଷ ପରେ ପାକିସ୍ତାନର ଏବାଟାବାଦରେ ପଶି ଲାଦେନକୁ ମାରିଥିଲା ଆମେରିକା । ପୂରା ଅପରେସନର ସିଧା ପ୍ରସାରଣ ହ୍ବାଇଟ୍ ହାଉସରେ ଦେଖାଯାଉଥିଲା । ଏହାସହ ଲାଦେନ ପରି ଆତଙ୍କୀକୁ ଶରଣ ଦେଇଥିବା ପାକିସ୍ତାନର ପ୍ରକୃତ ଚେହେରା ପଦାରେ ପଡିଥିଲା ।

ପାକିସ୍ତାନ ସୁରକ୍ଷାରେ ଆତଙ୍କୀ

୧୯୯୩ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମ ପାକିସ୍ତାନରେ ରହି ନିଜ ଅପରାଧ ସାମ୍ରାଜ୍ୟ ଚଳାଇଛି । ୨୦୦୩ରେ ଦାଉଦକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରାଯାଇଥିଲା। ହେଲେ ପାକିସ୍ତାନ ସୁରକ୍ଷାରେ ରହିଛି ଭାରତର ଶତ୍ରୁ ଦାଉଦ। ପାକିସ୍ତାନର ଆତଙ୍କୀ କନେକ୍ସନର ସବୁଠୁ ବଡ ଉଦାହରଣ ହେଉଛି ହାଫିଜ ସୟିଦ । ପାକିସ୍ତାନ ତ ହାଫିଜ ସୟିଦକୁ ଆତଙ୍କବାଦୀ ମାନେନି ବରଂ ଧର୍ମଗୁରୁ ଭାବେ ପ୍ରୋଜେକ୍ଟ କରିଆସୁଛି । ଯେବେକି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛରେ ହାଫିଜ ସୟିଦର ବଡ଼ ଭୂମିକା ରହିଥିଲା । ସେହିପରି ପାକିସ୍ତାନ ଟେରର ଲିଙ୍କର ଖୁଲାସା କରିଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଂସ୍ଥାପକ ମୌଲାନା ମସୁଦ ଅଜହର । ୧୯୯୮ର କାନ୍ଦାହାର ବିମାନ ହାଇଜାକ, ଜାମ୍ମୁ କାଶ୍ମୀର ବିଧାନସଭା ଉପରେ ହମଲା, ୨୦୦୧ରେ ସଂସଦ ଉପରେ ଆକ୍ରମଣ ପଛରେ ମସୁଦ ଅଜହରର ହାତ ରହିଥିଲା। ଦାଉଦ ଇବ୍ରାହିମ ହେଉ କି ହାଫିଜ ସୟିଦ କିମ୍ବା ମସୁଦ ଅଜହର, ପାକିସ୍ତାନରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି । ହେଲେ ପାକିସ୍ତାନ ସେମାନଙ୍କ ବିରୋଧରେ ଆକ୍ସନ୍ ନେବା ବଦଳରେ ଶରଣ ଦେଇଛି । ସାରା ବିଶ୍ବରେ ଆତଙ୍କୀ କନେକ୍ସନ୍ ପାଇଁ ଅନେକ ଥର ଲଜ୍ଜିତ ହୋଇଛି ପାକିସ୍ତାନ ।

Comments are closed.