Latest Odisha News

BREAKING NEWS

ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ; ଜାଣନ୍ତୁ ତାଙ୍କର ଦୁଃସାହସିକ ଯାତ୍ରା ସମ୍ପର୍କରେ…

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ କିଏବା ନଜାଣେ । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ନିର୍ଭୀକତା ଲାଗି ସେ ଆଜିବି ଜନମାନସରେ ଜୀବିତ ହୋଇରହିଛନ୍ତି ।

ବିଜୁ ବାବୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ତାଙ୍କ ପୈତୃକ ଗ୍ରାମ ଗଞ୍ଜାମର ବେଲଗୁଣ୍ଠା ଥିଲା । ସେ ଏକାଧାରାରେ ଥିଲେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା ଓ ଯୁଗସ୍ରଷ୍ଟା ଜନନାୟକ ।

ତାଙ୍କର ୧୦୫ ତମ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ରୋଚକ କଥା…

ବିଜୁ ବାବୁଙ୍କ ପୂରା ନାମ ହେଉଛି ବିଜୟାନନ୍ଦ ପଟ୍ଟନାୟକ । ସେ ସମସ୍ତଙ୍କ ଗହଣରେ ବିଜୁ ବାବୁ ନାମରେ ଖୁବ୍ ପରିଚିତ ଥିଲେ । ବିଜୁ ବାବୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁର ଠାରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ମାଆ ଆଶାଲତା ଦେବୀ ବେଙ୍ଗଲୀ ପରିବାରରୁ ଆସିଥିଲେ । ଯାହାଫଳରେ ସେ ଜଣେ ଓଡିଆ ହେବା ସହ ଜଣେ ବଙ୍ଗାଳୀ ମଧ୍ୟ ।

କ୍ରୀଡା ପ୍ରତି ବିଜୁ ବାବୁଙ୍କ ଦୁର୍ବଳତା ରହିଥିବା ବେଳେ ସେ ଜଣେ ନିପୁଣା ବ୍ରିଡଜ୍ ଖେଳାଳି ବୋଲି ଖୁବ୍ କମ୍ ଲୋକେ ଜାଣନ୍ତି। ସେ କଲେଜର ଫୁଟବଲ୍ ଟିମରେ ଶ୍ରେଷ୍ଠ ଖେଳାଳି ହୋଇଥିବା ବେଳେ ୩ ବର୍ଷ ଧରି ଇଣ୍ଟର-ସ୍କୁଲ୍ ଚାମ୍ପିଅନସିପ୍ ମଧ୍ୟ ଜିତିଥିଲେ ।

ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ । ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାର‌ୱେଜରେ ପାଇଲଟ ଭାବରେ ଚାକିରି କରିଥିଲେ ।

ବିଜୁ ବାବୁ ଜଣେ ସାଇକେଲ୍ ପ୍ରେମୀ ମଧ୍ୟ । ସେ ସାଇକେଲରେ ରାଜ୍ୟ ସଚିବାଳୟକୁ ଯାଉଥିବା ନେଇ ବହୁବାର ଦେଖିବାକୁ ମିଳିଥାଏ । ଏପରିକି ମାନବିକତା ଉପରେ ଜନସାଧାରଣଙ୍କୁ ସଚେତନ କରିବାକୁ ଯାଇ ସେ ସାଇକେଲରେ ଓଡିଶାରୁ ପାକିସ୍ତାନର ପେଶାୱାର ଯାଏଁ ଯାଇଥିଲେ । ଯାହାର ଦୂରତା ୪୫୦୦ ମାଇଲ୍ ହୋଇଥିବା ବେଳେ ତାଙ୍କ ସହ ଦୁଇ ସାଙ୍ଗ ଅମର ଓ ଭ୍ରମରବର ରହିଥିଲେ ।

ବିଜୁ ବାବୁ ୧୯୩୮ ରେ ପଞ୍ଜାବ ଲାହୋରର ଝିଅ ଜ୍ଞାନଙ୍କୁ ବିବାହ କରିଥିଲେ । ସେ ଓ ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ ଇଣ୍ଡୋନେସିଆ ରାଷ୍ଟ୍ରପତି ସୁକର୍ଣ୍ଣଙ୍କ ଝିଅ ‘ମେଘାବତୀ’ର ନାମକରଣ କରିଥିଲେ।

ଏକ ଘଡିସନ୍ଧି ମୁହୂର୍ତ୍ତରେ ସ୍ୱାଧୀନ ଇଣ୍ଡୋନେସିଆ ଉପରେ ଡଚ୍ ସାମ୍ରାଜ୍ୟବାଦୀମାନଙ୍କ ଆକ୍ରମଣ ବେଳେ ଅତି ଚତୁରତାର ସହ ବିଜୁ ବାବୁ ଇଣ୍ଡୋନେସିଆ ରାଷ୍ଟ୍ରପତି ସାହାରିୟାଙ୍କୁ ଜାକର୍ତ୍ତାରୁ ରେଙ୍ଗୁନ ଓ ସେଠାରୁ ନୂଆଦିଲ୍ଲୀକୁ ଉଡାଇ ଆଣିଥିଲେ । ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ସେ ଜଣେ ପ୍ରଜାବତ୍ସଳ ତଥା ଲୋକପ୍ରିୟ ରାଜନେତା ଭାବେ ପ୍ରାୟ ୭ ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ଆସନରେ ଅବସ୍ଥାପିତ ରହିଥିଲେ । ସେ ନିଜର ଶେଷ ଜୀବନ ନବୀନ ନିବାସରେ ନୁହେଁ ବରଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅତି ଘନିଷ୍ଠ ଦିଲୀପ ରାୟଙ୍କ ଘରେ ଅତିବାହିତ କରିଥିଲେ । ଯାହାକୁ ସେ ପୁଅ ଭଳି ସ୍ନେହ କରୁଥିଲେ ।

ନିଜର ନିର୍ଭୀକତା ପାଇଁ ସେ କଳିଙ୍ଗ ପୁତ୍ର ଓ ଭାରତୀୟ ରାଜନୀତିର ବିଗ୍ ଡାଡୀ ଆଦି ବହୁ ନାମରେ ପରିଚିତ ଥିଲେ ।

Leave A Reply

Your email address will not be published.