ଚେନ୍ନାଇ: ଚେନ୍ନାଇର ଏକ ବାଣ କାରଖାନରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୬ ଶ୍ରମିକଙ୍କ ମୃତ୍ୟୁ । ଚେନ୍ନାଇ ବୀରୁଧୁନଗର ଜିଲ୍ଲା ସତୁର ଅଞ୍ଚଳରେ ଥିବା କାରଖାନାରେ ଘଟିଛି ଏହି ବିସ୍ଫୋରଣ । ଉଦ୍ଧାର ଉଦ୍ୟମ ଜାରି ରହିଥିବା ବେଳେ ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।
ସୂଚନା ଅନୁସାରେ, ତାମିଲନାଡୁର ବୀରୁଧୁନଗର ଜିଲ୍ଲା ସତୁର ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି କାରଖାନା ଅପାନାୟାକନପଟୀ ପଞ୍ଚାୟତର ବୋମ୍ମୟପୁରମ୍ ଗ୍ରାମରେ ଅବସ୍ଥିତ । ବାଲାଜୀ ନାମକ ଜଣେ ବ୍ୟକ୍ତି ଏହି କାରଖାନା ଚଳାଉଥିଲେ । କାରଖାନାରେ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ତେବେ ବିସ୍ଫୋରଣରେ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ କେତେ ଲୋକ ଗୁରୁତର ହୋଇଛନ୍ତି ସେନେଇ ସଠିକ ସୂଚନା ମିଳିପାରି ନାହିଁ । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ସଦ୍ୟତମ ରିପୋର୍ଟ ଅନୁସାରେ ୬ ମୃତକଙ୍କ ପରିଚୟ ମିଳିଛି । ସେମାନଙ୍କ ପରିବାର ଲୋକଙ୍କୁ ଏନେଇ ଖବର ପଠାଯାଉଛି । ଏହା ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବୀରୁଧୁନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ତାମିଲନାଡୁର ବୀରୁଧୁନଗର ଜିଲ୍ଲାରେ ଥିବା ଅନେ ବାଣ କାରଖାନାରେ ବିସ୍ଫୋରଣ ଘଟିଥିବାର ଖବର ରହିଛି । ଗତବର୍ଷ ମେ ମାସରେ, ବୀରୁଧୁନଗର ଜିଲ୍ଲାର ଶୀବକାଶୀର ସେଙ୍ଗାମାଲାପଟୀ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ପାଞ୍ଚଜଣ ମହିଳାଙ୍କ ସମେତ ନଅ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ସେହି ବିସ୍ଫୋରଣରେ ବାଣ ଥିବା ସାତୋଟି କୋଠରୀ ଜଳିପୋଡି ପାଉଁଶ ହୋଇଯାଇଥିଲା ।
Comments are closed.