ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ ପ୍ରସ୍ତାବିତ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ୍ତା ମାସରେ ହେବାକୁ ଯାଉଥିବା ପୂର୍ବ ଇରୋଡ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବନି ବିଜେପି। ରବିବାର ଏନଡିଏ ତରଫରୁ ଏହି ଘୋଷଣା କରିଛନ୍ତି ବିଜେପି ପ୍ରଦେଶ ସଭାପତି ଅନ୍ନାମଲାଇ। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଏଆଇଡିଏମକେ ପୂର୍ବରୁ ଏହି ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ବିଜେପିର ଏହି ଘୋଷଣା ପରେ ନିର୍ବାଚନ ଏକତରଫା ହୋଇଛି।
ଅନ୍ନାମଲାଇ କହିଛନ୍ତି, ତାମିଲନାଡୁରେ ୨୦୨୬ ରେ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନରେ ବିଜେପି ଦ୍ରାବିଡ ମୁନିତ୍ର କଜକମ (ଡିଏମକେ)କୁ ସରକାରରୁ ହଟାଇବା ଲାଗି ଲଢେଇ କରିବ। ଏଣୁ ରାଜ୍ୟରେ ଏନଡିଏ ମେଣ୍ଟ ସେହି ଉଦ୍ଦେଶ୍ୟରେ ଆଗକୁ ବଢୁଛି। ସୂଚନା ଯୋଗ୍ୟ, ପୂର୍ବ ଇରୋଡରେ କଂଗ୍ରେସର ଇ.ଭି.କେ.ଏସ୍ ଏଲଂଗୋଭନ ବିଧାୟକ ଥିଲେ। ତାଙ୍କ ପରଲୋକ କାରଣରୁ ଏହି ଆସନରେ ଏବେ ଉପ ନିର୍ବାଚନ ହେବାକୁ ଯାଉଛି।
ଡିଏମକେ ମେଣ୍ଟ ପକ୍ଷରୁ ଭି.ସି. ଚନ୍ଦ୍ରକୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ଏଆଇଡିଏମକେ ପ୍ରତିଦ୍ୱନ୍ଦ୍ୱୀତା କରୁନଥିବା ବେଳେ ଏବେ ବିଜେପି ମଧ୍ୟ ଓହରିଛି। ଫଳରେ ଡିଏମକେ ପ୍ରାର୍ଥୀଙ୍କ ବିଜୟ ଏକତରଫା ହୋଇଯାଇଛି। ତାମିଲନାଡୁ ପ୍ରଦେଶ ବିଜେପି ସଭାପତି କହିଛନ୍ତି, ଜନତାଙ୍କ କଲ୍ୟାଣ ଚାହୁଁଥିବା ଏନଡିଏର ନେତାମାନେ ବିଚାର ପରେ ଇରୋଡ ପୂର୍ବ ବିଧାନସଭା ଆସନରେ ପ୍ରାର୍ଥୀ ନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ, ତାମିଲନାଡୁରେ କେ.ଅନ୍ନାମଲାଇଙ୍କ ନେତୃତ୍ୱରେ ବିଜେପିର ଏନଡିଏ ମେଣ୍ଟକୁ ମଜଭୁତ କରିବାକୁ କାର୍ଯ୍ୟ କରାଯାଉଛି। ଏଣୁ ସେ ରାଜ୍ୟର ଡିଏମକେ ସରକାରଙ୍କୁ ବିରୋଧ କରିବାରେ ଲାଗିଛନ୍ତି। ନିକଟରେ ଆନ୍ନା ୟୁନିଭର୍ସିଟିର ଜନୈକା ଛତ୍ରୀଙ୍କ ପ୍ରତି ଦୁଷ୍କର୍ମ ମାମଲାରେ ଡିଏମକେ ନେତୃତ୍ୱାଧାନ ଷ୍ଟାଲିନଙ୍କ ସରକାର ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ।