ମୁମ୍ବାଇ: ମୁମ୍ବାଇ ସ୍ପିନର ତନୂଷ କୋଟିୟାନଙ୍କୁ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ସେ ମଙ୍ଗଳବାର ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଥିବା ଚତୁର୍ଥ ଟେଷ୍ଟ ପୂର୍ବରୁ ସେ ଦଳରେ ଯୋଗ ଦେବେ । ଷ୍ଟାର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଅବସର ଘୋଷଣା କରିବା ପରେ ତାଙ୍କ ସ୍ଥାନରେ ତନୂଷଙ୍କୁ ସାମିଲ କରାଯାଇଛି । ଭଲ ସ୍ପିନ ବୋଲିଂ କରିବା ସହ ତନୂଷ ଉପଯୋଗୀ ବ୍ୟାଟିଂ ମଧ୍ୟ କରନ୍ତି । ସେ ଏହା ପୂର୍ବରୁ ଭାରତ ଏ ଟିମ ପକ୍ଷରୁ ଖେଳିଛନ୍ତି ।
ତନୂଷ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୩ ମ୍ୟାଚରୁ ୧୦୧ ୱିକେଟ ନେଇଛନ୍ତି । ଏହା ବ୍ୟତୀତ ସେ ୨ଟି ଶତକ ଓ ୧୩ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି । ଲିଷ୍ଟ ଏ ମୁକାବିଲାରେ ସେ ୨୦ ମ୍ୟାଚରେ ୨୦ ୱିକେଟ ନେବା ସହ ୯୦ ରନ କରିଛନ୍ତି । ଅଶ୍ୱୀନଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଶେଷରେ ତନୂଷଙ୍କୁ ଦଳରେ ନିଆଯାଇଛି । ଚଳିତ ବର୍ଷ ଆଇପିଏଲ ମେଗା ନିଲାମରେ ସେ ଅନସୋଲ୍ଡ ରହିଥିଲେ । ୨୦୨୪ରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ସେ ଗୋଟିଏ ମ୍ୟାଚ ଖେଳି ୨୪ ରନ କରିଥିଲେ ।
ଶେଷ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମରାହ, ଯଶସ୍ୱୀ ଜୈସୱାଲ, ଅଭିମନ୍ୟୁ ଈଶ୍ୱରନ, ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ରିଷଭ ପନ୍ତ, ସର୍ଫରାଜ ଖାଁ, ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡି, ୱାଶିଂଟନ ସୁନ୍ଦର ଓ ତନୂଷ କୋଟିୟାନ ।