ଢେଙ୍କାନାଳ: ଟାଟା ଷ୍ଟିଲ ଫାଉଣ୍ଡେସେନ, ଜାମସେଦପୁର କର୍କଟ ସୋସାଇଟି (jcs) ସହିତ ଟାଟା ଷ୍ଚିଲର ନିଜସ୍ୱ ହସ୍ପିଟାଲ, ମେହେରବାଇ ଟାଟା ମେମୋରିଆଲ ହସ୍ପିଟାଲ (mtmh) ମାଧ୍ୟମରେ ଢେଙ୍କାନାଳରେ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ସୋମବାର ଏହି ମୋବାଇଲ କର୍କଟ ସ୍କ୍ରିନିଂ ୟୁନିଟ (mcsu) କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (cdmo) ଡାକ୍ତର ସଞ୍ଜୟ କୁମାର ମହାପାତ୍ର, ଢେଙ୍କାନାଳର ଜିଲ୍ଲା ମୁଖ୍ୟ ଡାକ୍ତରଖାନା (dhh) ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ପରେ mtmhର ମେଡିକାଲ ଅଙ୍କୋଲୋଜି ଟିମର ମେଡିକାଲ ଅଫିସର ଡାକ୍ତର ପ୍ରାଚୀ ସିଂ ସ୍କ୍ରିନିଂ ପଦ୍ଧତିର ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଡାକ୍ତର ରଞ୍ଜନ କୁମାର ସାମଲ, ବିନାୟକ ପାଣିଗ୍ରାହୀ (ହସ୍ପିଟାଲ ମ୍ୟାନେଜର), ଟାଟା ଷ୍ଟିଲ ଫାଉସେନର ପ୍ରତିନିଧି ଏବଂ mtmh ମୋବାଇଲ କର୍କଟ ସ୍କ୍ରିନିଂ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।

ଜାନୁଆରୀ ୨୦୨୬ରୁ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି କର୍କଟ ଚିକିତ୍ସାରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ପୂରଣ କରିବା। ଏହା ଲୋକଙ୍କ ମଧ୍ୟରେ ସଚେତନତା ଏବଂ ସ୍କ୍ରିନିଂ ଠାରୁ ଆରମ୍ଭ କରି ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ସୁବିଧା ଯୋଗାଇବ। ଏହି କାର୍ଯ୍ୟକ୍ରମ ମୁଖ, ସ୍ତନ ଏବଂ ଗର୍ଭାଶୟ କର୍କଟ ଉପରେ ଧ୍ୟାନ ଦେବ।
ମୋବାଇଲ କର୍କଟ ସ୍କ୍ରିନିଂ ୟୁନିଟ ମାସିକ ସ୍କ୍ରିନିଂ ଶିବିର ସହିତ ସଚେତନତା ଅଧିବେଶନ କରିବ। ଯାହା କର୍କଟ ପ୍ରତିରୋଧ, ପ୍ରାଥମିକ ସତର୍କତା ଚିହ୍ନ ଏବଂ ନିୟମିତ ସ୍କ୍ରିନିଂର ଗୁରୁତ୍ୱ ଉପରେ ସଚେତନତା ସୁନିଶ୍ଚିତ କରିବା ପାଇଁ ଏହି କାର୍ଯ୍ୟକ୍ରମ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରେ। mtmh ତାଲିମପ୍ରାପ୍ତ ମାଷ୍ଟର ଟ୍ରେନରମାନେ ଆଶା କର୍ମୀ ଏବଂ ଆଗଧାଡିର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦେଇ ଗ୍ରାମୀଣ ସ୍କ୍ରିନିଂ ଏବଂ ରେଫରାଲ୍ ବ୍ୟବସ୍ଥାକୁ ମଜବୁତ କରିବେ। ଅଧିକ ଯତ୍ନ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ mtmhକୁ ରେଫର କରାଯିବା ସହ ଚିକିତ୍ସା ପଥ ଏବଂ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ସୁବିଧା ହାସଲ କରିବାରେ ସହାୟତା କରାଯିବ।
ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଗ୍ରାମୀଣ ସମ୍ପ୍ରଦାୟ ପାଇଁ ପ୍ରତିରୋଧକ ସ୍ୱାସ୍ଥ୍ୟସେବା ଏବଂ ପ୍ରାଥମିକ କର୍କଟ ଚିହ୍ନଟରେ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।