Latest Odisha News

BREAKING NEWS

ଟିଏସ୍‌ଏମ୍‌ ପକ୍ଷରୁ ଏନ୍‌ଏଚ୍‌-୫୫ର କଣ୍ଟାବଣିଆଠାରେ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ

ମେରାମଣ୍ଡଳୀ: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟାବଣିଆଠାରେ ଆଲୋକୀକରଣ ପ୍ରକଳ୍ପର ଲୋକାର୍ପଣ ଓ ସରପା ଗ୍ରାମ ପୋଖରୀର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରାଯାଇଛି। ଏହି ଦୁଇ ପ୍ରକଳ୍ପ ଯୋଗୁ କାରଖାନା ପାରିପାର୍ଶ୍ଵିକ ଅଞ୍ଚଳରେ ସଡ଼କ ସୁରକ୍ଷାରେ ଉନ୍ନତି ସହ ଓ ଜଳ ସଂରକ୍ଷଣ ବ୍ୟବସ୍ଥାରେ ସୁଧାର ଆସିବ।

ସ୍ଥାନୀୟ ନେତୃବୃନ୍ଦ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପକୁ ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସର୍ଭିସେସ ଉପସଭାପତି ଡି ବି ସୁନ୍ଦର ରମମ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଉପସଭାପତି (ପରିଚାଳନା) ସୁଧୀର କୁମାର ମେହେଟ୍ଟା ଉଦ୍‌ଘାଟନ କରିଛନ୍ତି।

ଏନଏଚ-୫୫ରେ ଇଟାପରୁ ନୂଆହତା ପର୍ଯ୍ୟନ୍ତ ୩.୬ କିଲୋମିଟର ରାସ୍ତାର ଆଲୋକୀକରଣ କରାଯାଇଛି। ଏହି ପ୍ରକଳ୍ପରେ ୯ ମିଟର ଉଚ୍ଚତା ବିଶିଷ୍ଟ ଟ୍ୟୁବୁଲାର ଡବଲ୍‌-ଆର୍ମ ଖୁଣ୍ଟରେ ୯୦ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି। ପ୍ରତି ଖୁଣ୍ଟରେ ୧୫୦ ୱାଟ୍‌ର ଏଲ୍‌ଇଡି ଫିକ୍ସଚର୍ ବ୍ୟବହାର କରାଯାଇଛି। ଆଲୋକୀକରଣ ବ୍ୟବସ୍ଥା ହେବା ଫଳରେ ଏହି ବ୍ୟସ୍ତବହୁଳ ରାସ୍ତା ଦେଇ ଅନ୍ଧାର ରାତିରେ ଗାଡିମୋଟର ଚଳାଚଳ ସୁଗମ ହେବ ଓ ସ୍ଥାନୀୟ ହଜାର ହଜାର ଲୋକଙ୍କ ପାଇଁ ସଡ଼କ ସୁରକ୍ଷା କ୍ଷେତ୍ରରେ ଉନ୍ନତି ଆସିବ। ଏହାସହ କଣ୍ଟାବଣିଆ ଛକକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ମଧ୍ୟ ଏହାଦ୍ବାରା ଉପକୃତ ହେବେ।

ଏଥିସହିତ ଟାଟା ଷ୍ଟିଲ୍ ପକ୍ଷରୁ ସରପା ଗ୍ରାମରେ ୬୦୦୬ ବର୍ଗ ମିଟରରୁ ଅଧିକ ଓ ୨୦,୦୦୭.୫ କିଲୋଲିଟର କ୍ଷମତା ବିଶିଷ୍ଟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ ସରିଥିବା ବେଳେ ପଙ୍କ ଉଦ୍ଧାର, ହାଇ ଡେନ୍‌ସିଟି ପଲିଥିଲିନି (ଏଚ୍‌ଡିପିଇ) ଓ କଙ୍କ୍ରିଟ୍ ସ୍ଲୋପ୍ ଲାଇନିଂ, ଏକ ୧.୫ ମିଟର ଚଉଡ଼ା ରାସ୍ତା ନିର୍ମାଣ, ସୌରଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍‌ ବ୍ୟବସ୍ଥା କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ଅକ୍ସିଜେନ୍ ସ୍ତର ବଜାୟ ରଖିବା ପାଇଁ ଏକ ଭାସମାନ ଫାଉଣ୍ଟେନ୍ ନିର୍ମାଣ କରାଯାଉଛି। ଗ୍ରାମବାସୀଙ୍କ ସୁବିଧା ଓ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ପାହାଚ ଓ କୂଳରେ ବସିବା ବ୍ୟବସ୍ଥା କରାଯାଉଛି। ଏହି ଜଳାଶୟ ଭୂତଳ ଜଳ ସଂରକ୍ଷଣ କରିବା ସହ ଜୈବ ବିବିଧତା ଏବଂ ଦୈନନ୍ଦିନ ବ୍ୟବହାରରେ ସହାୟକ ହେବ।

ସେହିପରି, ସନ୍ତ୍ରୀ ଛକଠାରୁ ମହୀଧରପୁର ପର୍ଯ୍ୟନ୍ତ ୨୦ କିଲୋମିଟର ରାସ୍ତାରେ ସୌର ଶକ୍ତି ଚାଳିତ ଆଲୋକୀକରଣ କାର୍ଯ୍ୟ ଜାରିରହିଛି। ଅନେକ ସମୟରେ ହାତୀ ଚଳପ୍ରଚଳ କରୁଥିବା ଏହି ରାସ୍ତାରେ ପଥଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସୋଲାର ଲାଇଟ୍ ଲଗାଯାଉଛି। କାର୍ଯ୍ୟ ଶେଷ ହେବା ପରେ ଏହା ସ୍ଥାନୀୟ ଲୋକଙ୍କ ଯାତାୟାତ ପଥ ସୁଗମ କରିବ।

Leave A Reply

Your email address will not be published.