Latest Odisha News

ଶିକ୍ଷକ ହେବ ତ ଏମିତି: ନିଜ ଡ଼୍ରେସକୁ ବନାନ୍ତି ବ୍ଲାକବୋର୍ଡ଼

କୁହାଯାଏ ଯଦି ଶିକ୍ଷକ ଭଲ, ତା’ହେଲେ ପିଲାମାନଙ୍କର ଜୀବନ ଉନ୍ନତି ହୋଇଥାଏ । କୌଣସି ଖରାପ ଶିକ୍ଷକଙ୍କ ସଂସ୍ପର୍ଶରେ ଆସୁଥିବା ଛାତ୍ରଛାତ୍ରୀମାନେ ଜୀବନରେ ସଫଳ ହୋଇପାରନ୍ତି ନାହିଁ । କିନ୍ତୁ ଏମିତି କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ନିଜର ଶିକ୍ଷକତା ଦାୟିତ୍ୱ ଠିକ୍ ଭାବେ ତୁଲାଇଥାନ୍ତି । ଏହି କାରଣରୁ ଗୁଜୁରାଟର ବନସକନ୍ତା ଜିଲାର ଜଣେ ଶିକ୍ଷକଙ୍କ ଶିକ୍ଷାଦାନର ଶୈଳୀକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।

ଗୁଜୁରାଟର ବନସକନ୍ତା ଜିଲ୍ଲାରେ ଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନୀଲମଭାଇ ଚମନଭାଇ ପଟେଲ । ତାଙ୍କର ଶିକ୍ଷାଦାନର ଶୈଳୀକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ପିଲାମାନଙ୍କୁ କୌଣସି ବହି ଧରି ସେ ପଢାଇ ନ ଥାନ୍ତି । ଘରୁ ଯିବାବେଳେ ନିଜ ପୋଷାକରେ ସମସ୍ତ ବିଷୟ ଲେଖି ବାହାରନ୍ତି । ବର୍ତ୍ତମାନ ସେ ଯାହା ବି ପିନ୍ଧନ୍ତି, ବର୍ଣ୍ଣମାଳା, ସୂତ୍ର କିମ୍ବା ଶବ୍ଦ ଏଥିରେ ଲେଖା ହୋଇଥାଏ । ପିଲାମାନଙ୍କର ଭବିଷ୍ୟତ ପାଇଁ ଶିକ୍ଷକଙ୍କର ଉତ୍ସର୍ଗୀକୃତ ମନୋଭାବ ଦେଖି ଲୋକମାନେ ବହୁତ ପ୍ରଭାବିତ ହେଉଛନ୍ତି । ବହୁତ କମ୍ ଶିକ୍ଷକ ଅଛନ୍ତି ଯେଉଁମାନେ ନିଜ କାର୍ଯ୍ୟରେ ଏତେ ସୃଜନଶୀଳତା ଦେଖାଇଥାନ୍ତି ।

କରୋନା ସମୟରେ ଯେତେବେଳେ ଲକଡାଉନ୍ ଘୋଷଣା ହେଲା, ଅଧିକାଂଶ ବିଦ୍ୟାଳୟରେ ଅନ୍‌ଲାଇନ୍ କ୍ଲାସ ଚାଲୁଥିଲା । ଏଭଳି ସମୟରେ ଶିକ୍ଷକ ନୀଲମଭାଇ ଚାହୁଁଥିଲେ ଯେ ପିଲାମାନଙ୍କର ଅଧ୍ୟୟନରେ ଆଗ୍ରହ ରହିବା ଜରୁରୀ । ଏଭଳି ପରିସ୍ଥିତିରେ ସେ ଗରିବ ପିଲାମାନଙ୍କ ପାଇଁ ନିଜେ ରାସ୍ତାରେ କ୍ଲାସ୍ କରିବା ଆରମ୍ଭ କରିଥିଲେ । ଯେହେତୁ ସେହି ସମୟରେ ଉପଯୁକ୍ତ ସାମଗ୍ରୀ ମିଳୁ ନ ଥିଲା, ତେଣୁ ସେ ତାଙ୍କ ଧଳା କୁର୍ତ୍ତାରେ ଛପା ହୋଇଥିବା ବର୍ଣ୍ଣମାଳା, ଶବ୍ଦ ଏବଂ ଗାଣିତିକ ସୂତ୍ର ଲେଖିବା ଆରମ୍ଭ କଲେ । ଶିକ୍ଷକଙ୍କର ଏପରି ହାବଭାବ ଦେଖି ପିଲାମାନଙ୍କର ପାଠପଢା ପ୍ରତି ଆଗ୍ରହ ବଢିଲା । ଅନେକଙ୍କ ମତରେ ପିଲାମାନଙ୍କୁ କେବଳ ଅଧ୍ୟୟନ କରାଇବା ଜଣେ ଶିକ୍ଷକଙ୍କର କାମ ନୁହେଁ, ବରଂ ଅନ୍ୟ ବିଷୟବସ୍ତୁ ଉପରେ ମଧ୍ୟ ଶିକ୍ଷା ଦିଆଯିବା ଜରୁରୀ, ଯାହା ସେମାନଙ୍କୁ ବିକାଶିତ କରିିପାରିବ ।

Comments are closed.