Latest Odisha News

ସଞ୍ଜୁ ସାମସନ, ରିଷଭ ପନ୍ତଙ୍କୁ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଶନିବାରଠାରୁ ଆରମ୍ଭ ହେବ । ପାଲ୍ଲିକେଲରେ ପ୍ରଥମ ଟି୨୦ ଖେଳାଯିବା ପୂର୍ବରୁ ଭାରତୀୟ ଟିମ ମ୍ୟାନେଜମେଂଟ ସଞ୍ଜୁ ସାମସନ ଓ ରିଷଭ ପନ୍ତଙ୍କ ମଧ୍ୟରୁ କାହାକୁ ଖେଳାଇବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ଉଭୟ ୱିକେଟକିପର ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ରହିବା ସହ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରନ୍ତି । ପୂର୍ବରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସ୍ଥାନରେ ଓପନିଂ ଯୋଡି ନେଇ ମଧ୍ୟ ଚୂଡାନ୍ତ ହୋଇପାରି ନାହିଁ । ଟି୨୦ ବିଶ୍ୱକପରେ ପନ୍ତଙ୍କୁ ସମସ୍ତ ମ୍ୟାଚରେ ସୁଯୋଗ ମିଳିଥିବା ବେଳେ ସଞ୍ଜୁ ଗୋଟିଏ ବି ମ୍ୟାଚ ଖେଳିପାରି ନ ଥିଲେ । କୋଚ ଭାବେ ଗୌତମ ଗମ୍ଭୀରଙ୍କ ଏହା ପ୍ରଥମ ସିରିଜ ହେବ । ଗମ୍ଭୀର ଟିମ କମ୍ବିନେଶନ ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ ବୋଲି ଆଇପିଏଲରେ ପ୍ରମାଣ କରି ସାରିଛନ୍ତି । ପନ୍ତ ଆଘାତପ୍ରାପ୍ତ ଥିବା ବେଳେ ଈଶାନ କିଶାନ, ସଞ୍ଜୁ, ଜିତେଶ ଶର୍ମା ଓ ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆ ଆନ୍ତର୍ଜାତୀୟ ସ୍ତରରେ ପରୀକ୍ଷଣ କରି ସାରିଛି ।

ସଞ୍ଜୁ ୨୮ଟି ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ୪୪୪ ରନ ସଂଗ୍ରହ କରିଛନ୍ତି । ଅପରପକ୍ଷରେ ପନ୍ତ ୭୪ଟି ଟି୨୦ ମ୍ୟାଚ ଖେଳି ୧୧୫୮ ରନ କରିଛନ୍ତି । ପନ୍ତ ବାମହାତୀ ବ୍ୟାଟ୍ସମ୍ୟାନ ହୋଇଥିବାରୁ ଲେଫ୍ଟ-ରାଇଟ କମ୍ବିନେଶନ ପାଇଁ ବିକଳ୍ପ ପ୍ରଦାନ କରିଥାନ୍ତି । ଆନ୍ତର୍ଜାତୀୟସ୍ତରରେ ତାଙ୍କର ଅଭିଜ୍ଞତା ଅଧିକ ଥିବାରୁ ତାଙ୍କୁ ପ୍ରଥମେ ସୁଯୋଗ ଦିଆଯାଇପାରେ, ଯଦି ସେ ବିଫଳ ହୁଅନ୍ତି ତେବେ ସଞ୍ଜୁ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ । ୨୭ ଜୁଲାଇ, ୨୮ ଓ ୩୦ରେ ୩ଯାକ ଟି୨୦ ମ୍ୟାଚ ଖେଳାଯିବ ।
ଟିମ ଇଣ୍ଡିଆ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ, ରିଙ୍କୁ ସିଂ, ରିୟାନ ପରାଗ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ଅର୍ଶଦୀପ ସିଂ, ଖଲୀଲ ଅହମ୍ମଦ ଓ ମହମ୍ମଦ ସିରାଜ ।

Comments are closed.