Latest Odisha News

ଟପ୍ ଗିୟରରେ ଟିମ୍ ଇଣ୍ଡିଆ : ଏକ ଅବିଶ୍ୱସନୀୟ, ସ୍ମରଣୀୟ ବିଜୟ

କାନପୁର: କାନପୁର ଟେଷ୍ଟରେ ଟିମ୍ ଇଣ୍ଡିଆର ସ୍ମରଣୀୟ ବିଜୟ । ବାଂଲାଦେଶ ବିପକ୍ଷରେ ଅବିଶ୍ୱସନୀୟ ବିଜୟ ସହ ଟେଷ୍ଟ ସିରିଜ୍ ୨-୦ରେ ଜିତି ନେଇଛନ୍ତି ରୋହିତ ଶର୍ମା ଆଣ୍ଡ୍ କୋ । ଘରୋଇ ମାଟିରେ ଆଉ ଏକ ଟେଷ୍ଟ୍ ସିରିଜ ବିଜୟ । ବର୍ଷା ଓ ଓଦା ପଡିଆ ଯୋଗୁଁ କାନପୁର ଟେଷ୍ଟର ଅଢେଇ ଦିନର ଖେଳ ହୋଇପାରିନଥିଲା । ଟେଷ୍ଟ ଡ୍ର ହେବ ବୋଲି ଭାବି କେହି ଗୁରୁତ୍ୱ ଦେଇନଥିଲେ । ଚତୁର୍ଥ ଦିନରେ ସଂପୂର୍ଣ୍ଣ ଖେଳ ହୋଇଥିଲା । ଟିମ୍ ଇଣ୍ଡିଆର ବୋଲର ଓ ବ୍ୟାଟରମାନଙ୍କ ଦମଦାର ପ୍ରଦର୍ଶନ ଭାରତକୁ ବିଜୟର ଦ୍ୱାରଦେଶକୁ ନେଇ ଯାଇଥିଲା । ପଂଚମ ଦିନରେ ଅଧାରୁ ଅଧିକ ସେସନ ବାକି ଥାଇ ୭ ୱିକେଟରେ ଏକ ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏକାଧିକ ବିଶ୍ୱରେକର୍ଡ ସହ ଐତିହାସିକ ବିଜୟ ହାସଲ କରିଛି ଭାରତ ।

ଟପ୍ ଗିୟରରେ ଟିମ୍ ଇଣ୍ଡିଆ, ବାଂଲାଦେଶ ଚିତ୍

କାନପୁର ଟେଷ୍ଟର ପ୍ରଥମ ଦିନରେ ମାତ୍ର ୩୫ ଓଭରର ଖେଳ ହିଁ ସମ୍ଭବ ହୋଇଥିଲା । ଦ୍ୱିତୀୟ ଓ ତୃତୀୟ ଦିନର ଖେଳ ଆଦୌ ହୋଇପାରିନଥିଲା । ଚତୁର୍ଥ ଦିନରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ । ମମିନୁଲଙ୍କ ଶତକ ସତ୍ତ୍ୱେ  ବାଂଲାଦେଶର ପ୍ରଥମ ଇନିଂସ ମାତ୍ର ୨୩୩ରେ ଶେଷ ହୋଇଥିଲା । ଜବାବରେ ଟିମ୍ ଇଣ୍ଡିଆ ବ୍ୟାଟରମାନେ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରି ସ୍ଥାପନ କରିଥିଲେ ଏକାଧିକ ବିଶ୍ୱ ରେକର୍ଡ । ଲାଗୁଥିଲା ଟିମ୍ ଇଣ୍ଡିଆ ଟେଷ୍ଟ ନୁହେଁ, ଟି-୨୦ ମ୍ୟାଚ ଖେଳୁଛି । ଟେଷ୍ଟରେ ଦ୍ରୁତତମ ଟିମ୍ ଅର୍ଦ୍ଧଶତକ, ଶତକ, ୧୫୦, ୨୦୦ ଓ ୨୫୦ ରନ୍ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା ଟିମ୍ ଇଣ୍ଡିଆ । ୫୨ ରନରେ ଆଗୁଆ ରହିବା ପରେ ଭାରତର ପ୍ରଥମ ପାଳି ଘୋଷଣା କରିଥିଲେ ରୋହିତ ଶର୍ମା । କିନ୍ତୁ ଗ୍ରୀନପାର୍କ ଷ୍ଟାଡିୟମର ପିଚ୍ ସ୍ପିନରଙ୍କୁ ସୁହାଇବାରେ ଲାଗିଥିଲା । ତେଣୁ ଭାରତର ୫୨ ରନର ଛୋଟ ଅଗ୍ରଣୀ ବାଂଲାଦେଶ ପାଇଁ ବହୁତ ବଡ ଥିଲା । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶର ଦ୍ୱିତୀୟ ଇନିଂସରେ ଦୁଇଟି ୱିକେଟର ଶୀଘ୍ର ପତନ ପରେ ବିଜୟର ବାସ୍ନା ବାରିଥିଲା ଭାରତ । ପଂଚମ ଦିନରେ ଟିମ୍ ଇଣ୍ଡିଆ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ ବାଂଲାଦେଶ ବ୍ୟାଟର । ମାତ୍ର ୧୪୬ରେ ଅଲଆଉଟ ହୋଇଥିଲା ବାଂଲାଦେଶ । ବିଜୟ ପାଇଁ ଆବଶ୍ୟକ ୯୫ ରନକୁ ତିନି ୱିକେଟ ହରାଇ ହାସଲ କରିନେଇଥିଲା ଭାରତ । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଜୟସ୍ୱାଲ ଏକ ଧୂଆଁଧାର ଅର୍ଧଶତକ ହାସଲ କରି ଭାରତର ବିଜୟ କରିଦେଇଥିଲେ ଆହୁରି ସହଜ ।

ଅବିଶ୍ୱସନୀୟ ବିଜୟରେ ଅନେକ ରେକର୍ଡ

ଅଢେଇ ଦିନର ଖେଳ ବର୍ଷା ଓ ଓଦା ପଡିଆ ଯୋଗୁଁ ବାତିଲ ହେବା ପରେ ବି ଏକ ଅସମ୍ଭବ ବିଜୟ ହାସଲ କରିଛି ଭାରତୀୟ ଦଳ । ଅତି କମରେ ଦୁଇ ଦିନର ଖେଳ ନହେଲା ପରେ ବି ଗୋଟିଏ ଟେଷ୍ଟରେ ଏକ ଦଳ ବିଜୟ ହାସଲ କରିବାର ଏହା ହେଉଛି ଅଷ୍ଟମ ଉଦାହରଣ । ଏଥିମଧ୍ୟରୁ ଗୋଟିଏ ଟେଷ୍ଟରେ ଉଭୟ ଦଳ ଗୋଟିଏ ଲେଖାଏଁ ଇନିଂସ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଗୋଟିଏ ଟେଷ୍ଟ ମ୍ୟାଚରେ ରିଜର୍ଭ ଡେ ଥିଲା । ଏକ ଟେଷ୍ଟ ମ୍ୟାଚର ଦୁଇଟିଯାକ ଇନିଂସରେ ସର୍ବାଧିକ ରନରେଟ୍‌ରେ ମଧ୍ୟ ନୂଆ ରେକର୍ଡ କରିଛି ଟିମ୍ ଇଣ୍ଡିଆ । କାନପୁର ଟେଷ୍ଟରେ ଦୁଇଟିଯାକ ଇନିଂସ ମିଶାଇ ଭାରତର ରନ୍ ରେଟ୍ ଥିଲା ୭ ଦଶମିକ ୩୬ ।

କାନପୁର ଟେଷ୍ଟ ଜିତିବା ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଂଟ ଟେବୁଲରେ ନିଜର ସ୍ଥିତି ଦୃଢ କରିଛି ଭାରତ । ଲଗାତର ତୃତୀୟ ଥର ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିବା ପାଇଁ ଦୃଢ ସ୍ଥିତିରେ ରହିଛି ଭାରତ । ଏବେ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ଟେଷ୍ଟ ସିରିଜ୍ ।

 

Leave A Reply

Your email address will not be published.