Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଟିମକୁ ମିଳିଲେ ନୂଆ ଫିଲ୍ଡିଂ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ନୂଆ ଫିଲ୍ଡିଂ କୋଚ୍ ମିଳିବାକୁ ଯାଉଛି । ରିପୋର୍ଟ ଅନୁସାରେ, ଅଭିଜ୍ଞ କୋଚ୍ ସୁଭଦୀପ ଘୋଷଙ୍କୁ ଟିମ୍ ଇଣ୍ଡିଆର ନୂଆ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ସେ ଟି. ଦିଲୀପଙ୍କ ସ୍ଥାନ ନେବେ, ଯାହାଙ୍କ କାର‌୍ୟ୍ୟକାଳ ଇଂଲଣ୍ଡ ଗସ୍ତ ଶେଷ ହେବା ସହ ସମାପ୍ତ ହୋଇଛି । ସୁଭଦୀପ ଶ୍ରୀଲଙ୍କା ବିପକ୍ଷ ୨ମ୍ୟାଚ୍ ଟେଷ୍ଟ ସିରିଜ୍‌ରୁ ନିଜର କାର‌୍ୟ୍ୟଭାର ସମ୍ଭାଳିବେ ଏବଂ ସେ ୨୦୨୭ ଦିନିକିଆ ବିଶ୍ୱକପ୍  ପର‌୍ୟ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇନଥିଲେ ମଧ୍ୟ କୋଚିଂ କ୍ଷେତ୍ରରେ ତାଙ୍କର ବହୁତ ଭଲ ଅଭିଜ୍ଞତା ରହିଛି। ସେ ଭାରତୀୟ ମହିଳା କ୍ରିକେଟ ଟିମ୍ ଏବଂ ଅଣ୍ଡର-୧୯ ଭାରତୀୟ ଦଳର ଫିଲ୍ଡିଂ କୋଚ ଭାବେ କାମ କରିସାରିଛନ୍ତି ।

ଏହି ବର୍ଷ ଆରମ୍ଭରେ ଯେତେବେଳେ ଭାରତୀୟ ଅଣ୍ଡର୧୯ ଟିମ୍ ଚାମ୍ପିୟନ୍ ହୋଇଥିଲା, ସେତେବେଳେ ସେ ଦଳର ଫିଲ୍ଡିଂ କୋଚ୍ ଥିଲେ । ସେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ (୨୦୧୮) ଏବଂ କୋଲକାତା ନାଇଟ୍ ରାଇଡର୍ସ (୨୦୧୯) ସହ କାମ କରିଛନ୍ତି ।  ସୁଭଦୀପ ଆସାମ ଓ ରେଲୱେ ତରଫରୁ ୧୭ଟି ଫାଷ୍ଟ-କ୍ଲାସ୍ ଏବଂ ୧୭ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି । ନିକଟ ଅତୀତରେ ଭାରତୀୟ ଦଳର ଫିଲ୍ଡିଂ ସ୍ତର ଯଥେଷ୍ଟ ଖରାପ ହୋଇଥିଲା । ଆୟରଲ୍ୟାଣ୍ଡ, ଇଂଲଣ୍ଡ ଓ ଜିମ୍ବାୱେ ଗସ୍ତରେ ଭାରତୀୟ ଖେଳାଳିମାନେ ମୋଟ ୨୧ଟି କ୍ୟାଚ ଛାଡ଼ିଥିଲେ । ଏହି କାରଣରୁ ବିସିସିଆଇ ଟି. ଦିଲୀପଙ୍କ ଚୁକ୍ତି ବୃଦ୍ଧି ନକରି ସୁଭଦୀପଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି ।

Leave A Reply

Your email address will not be published.