Latest Odisha News

BREAKING NEWS

ପ୍ରତି ମାସ ୧ ଲକ୍ଷ ୩୦ ହଜାର ଟଙ୍କା ପତ୍ନୀଙ୍କୁ ଦେବେ ମହମ୍ମଦ ଶାମି

କୋଲକାତା: ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଝଟକା। ପତ୍ନୀ ହସିନ ଜହାନଙ୍କ ସହ ଛାଡପତ୍ର ମାମଲା କୋର୍ଟରେ ଚାଲିଥିବା ବେଳେ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କା ରକ୍ଷଣାବେକ୍ଷଣ ଦେବାକୁ କୋଲକାତାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଲକ୍ଷ ୩୦ ହଜାର ଟଙ୍କା ମଧ୍ୟରୁ ୫୦ ହଜାର ଟଙ୍କା ହସିନ୍ ଜାହାନଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଏବଂ ବାକି ୮୦ ହଜାର ଟଙ୍କା ତାଙ୍କ ସହ ରହୁଥିବା ଝିଅର ରକ୍ଷଣାବେକ୍ଷଣ ଦିଗରେ ଖର୍ଚ୍ଚ ପାଇଁ ଉଲ୍ଲେଖ କରିଛନ୍ତି କୋର୍ଟ।

୨୦୧୮ରେ ହସିନ୍ ଜହାନ ମାସିକ ୧୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଦାବି କରି କୋର୍ଟରେ ଏକ ମାମଲା ଦାୟର କରିଥିଲେ। ସେଥିମଧ୍ୟରୁ ୭ ଲକ୍ଷ ଟଙ୍କା ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ଏବଂ ବାକି ୩ ଲକ୍ଷ ଟଙ୍କା ତାଙ୍କ ଝିଅର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହେବ ବୋଲି ଦାବି କରିଥିଲେ।

ହସିନଙ୍କ ଓକିଲ କୋର୍ଟରେ କହିଥିଲେ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମହମ୍ମଦ ସାମିଙ୍କ ଆୟକର ରିଟର୍ଣ୍ଣ ଅନୁଯାୟୀ ବାର୍ଷିକ ଆୟ ୭ କୋଟିରୁ ଅଧିକ ଥିଲା ଏବଂ ସେହି ଆଧାରରେ ମାସିକ ଆୟ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ।

ତେବେ ଶାମିଙ୍କ ଓକିଲ ଦାବି କରିଥିଲେ ଯେ ଯେହେତୁ ହାସିନ ଜହାନ ନିଜେ ଏକ ପେସାଦାର ଫ୍ୟାଶନ ମଡେଲ। ତାଙ୍କର ରୋଜଗାର ରହିଛି। ତେଣୁ ଖର୍ଚ୍ଚ ପାଇଁ ଏତେ ଦାବି କରିବା ଯଥାର୍ଥ ନୁହେଁ।

ଶେଷରେ, ଉଭୟ ପକ୍ଷର ଶୁଣାଣି ପରେ ସୋମବାର ନିମ୍ନ ଅଦାଲତ ମାସିକ ଗୁଜରାଣ ଖର୍ଚ୍ଚ ପରିମାଣକୁ ୧.୩୦ ଲକ୍ଷ ଟଙ୍କା ସ୍ଥିର କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପାଇଁ କୃତଜ୍ଞତା ଜଣାଇବାବେଳେ ହସିନ ଜାହାନ ଦାବି କରିଛନ୍ତି ଯେ ମାସିକ ଖର୍ଚ୍ଚ ପରିମାଣ ଅଧିକ ହୋଇଥିଲେ ତାଙ୍କୁ ଆଶ୍ୱସ୍ତି ମିଳିଥାନ୍ତା। ତେବେ ମହମ୍ମଦ ସାମି ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

 

 

Comments are closed.