କଲମ୍ବୋ: ଭାରତୀୟ କ୍ରିକେଟ୍ ଦଳ ଆଉ ଥରେ ଶ୍ରୀଲଙ୍କା ମାଟିରେ ଟେଷ୍ଟ କ୍ରିକେଟ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୫ରୁ ୨୭ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଏହି ସିରିଜ କେବଳ ଦ୍ୱିପାକ୍ଷିକ ସିରିଜ୍ ମଧ୍ୟରେ ସୀମିତ ନୁହେଁ, ବରଂ ଏଥିରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଗୁରୁତ୍ୱପୂର୍ଣ୍ଣ ପଏଣ୍ଟସ ହାତେଇବାକୁ ଚାହିଁବ । ଅଧିନାୟକ ଶୁଭମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କେବଳ ସିରିଜ ଜିତିବା ନୁହେଁ, ପଏଣ୍ଟସ ଟେବୁଲ୍ରେ ଲମ୍ବା ଡେଇଁ ମାରିବାକୁ ଲକ୍ଷ୍ୟ ରଖିଛି । ସିରିଜ୍ ପୂର୍ବରୁ ସ୍ଥାନୀୟ ପରିସ୍ଥିତି ସହ ଖାପଖୁଆଇବା ପାଇଁ ଭାରତୀୟ ଦଳ ୭ ଅଗଷ୍ଟରୁ କଲମ୍ବୋଠାରେ ଏକ ୪ଦିନିଆ ଅଭ୍ୟାସ ମ୍ୟାଚ ଖେଳିବ । ଭାରତ ବର୍ତ୍ତମାନ ୨୦୨୫-୨୭ ପଏଣ୍ଟସ ଟେବୁଲ୍ରେ ୯ଟି ମ୍ୟାଚ୍ ପରେ ୫୨ ପଏଣ୍ଟ ଏବଂ ୪୮.୧୫ ସହ ୫ମ ସ୍ଥାନରେ ରହିଛି ।
ଯଦି ଟିମ୍ ଇଣ୍ଡିଆ ଶ୍ରୀଲଙ୍କାରେ ଶ୍ରେଷ୍ଠ ପ୍ରଦର୍ଶନ କରେ, ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ପୂର୍ବରୁ ଦଳର ସ୍ଥିତି ବେଶ୍ ମଜବୁତ୍ ହୋଇପାରିବ । ୧୯୮୫ ରୁ ୨୦୧୭ ମଧ୍ୟରେ ଦୁଇ ଦଳ ମଧ୍ୟରେ ଶ୍ରୀଲଙ୍କାରେ ମୋଟ ୨୪ଟି ଟେଷ୍ଟ ଖେଳାଯାଇଛି । ଏଥିମଧ୍ୟରୁ ଭାରତ ୯ଟି ଜିତିଥିବା ବେଳେ ୭ଟିରେ ପରାଜିତ ହୋଇଛି ଏବଂ ୮ଟି ମ୍ୟାଚ୍ ଡ୍ର ରହିଛି । ଶ୍ରୀଲଙ୍କା ମାଟିରେ ଭାରତ ଶେଷ ଥର ପାଇଁ ଅଗଷ୍ଟ ୨୦୧୫ରେ ୬୩ ରନ୍ରେ ପରାଜିତ ହୋଇଥିଲା । ଏହା ପରଠାରୁ ଭାରତୀୟ ଦଳ ସେଠାରେ ଖେଳାଯାଇଥିବା ସମସ୍ତ ୫ଟି ଯାକ ଟେଷ୍ଟ ଜିତିଛି ଏବଂ ବିଗତ ୧୧ ବର୍ଷ ହେବ ଗୋଟିଏ ହେଲେ ମଧ୍ୟ ଟେଷ୍ଟ ହାରିନାହିଁ । ଭାରତ ଶେଷ ଥର ପାଇଁ ୨୦୧୭ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଗସ୍ତ କରିଥିଲା । ସେହି ସିରିଜ୍ରେ ଭାରତ ଗଲ୍ ଟେଷ୍ଟରେ ୩୦୪ ରନ୍, କଲମ୍ବୋ ଟେଷ୍ଟରେ ଇନିଂସ ଓ ୫୩ ରନ୍ ଏବଂ ପାଲେକେଲେ ଟେଷ୍ଟରେ ଇନିଂସ ଓ ୧୭୧ ରନ୍ରେ ବିଜୟୀ ହୋଇ ୩-୦ ରେ କ୍ଲିନ୍ ସ୍ୱିପ୍ କରିଥିଲା। ଯଦିଓ ଅତୀତର ରେକର୍ଡ ଭାରତ ସପକ୍ଷରେ ରହିଛି, ଅନ୍ୟପଟେ ଶ୍ରୀଲଙ୍କା ମଧ୍ୟ ନିଜ ଘରୋଇ ପରିବେଶର ଫାଇଦା ଉଠାଇ ଭାରତକୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିବ ।