ପାଟଣା: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଫେସବୁକ୍ ରେ ନିଜର ୧୨ ବର୍ଷ ର ପ୍ରେମ ବିଷୟରେ ଲେଖି ଚର୍ଚ୍ଚାକୁ ଆସିଥିଲେ। ଏହା ପୋଷ୍ଟ ଭାଇରାଲ ହେବାର କିଛି ସମୟ ପରେ ସେ ଏଥିରେ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି।
ସେ କହିଛନ୍ତି ଯେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହୋଇଯାଇଛି ଓ ସେ କିଛି ବି ଏପରି ପୋଷ୍ଟ କରିନାହାନ୍ତି।
ଗତ ଶନିବାର ଦିନ ତେଜ ପ୍ରତାପଙ୍କ ଫେସବୁକ୍ ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର ହୋଇଥିଲା ଯେଉଁଥିରେ ଲେଖାଥିଲା, ସେ ଓ ଅନୁଷ୍କା ଯାଦବ ଗତ ୧୨ ବର୍ଷ ଧରି ପରସ୍ପରକୁ ଭଲ ପାଇ ଆସୁଛନ୍ତି ଓ ବର୍ତ୍ତମାନ୍ ସମସ୍ତଙ୍କ ସାମ୍ନାରେ ସେ ଏହା ସ୍ବୀକାର କରିବାକୁ ଚାହୁଁଛନ୍ତି। ଏହି ପୋଷ୍ଟ କରିବାର କିଛି ସମୟ ପରେ ହିଁ ସେ ତୁରନ୍ତ ତାଙ୍କ ଏକ୍ସ ଆକାଉଣ୍ଟରୁ ଏକ ପୋଷ୍ଟ କରି ଲେଖିଥିଲେ ଯେ ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଯାଇଛି। ମିଛ ପୋଷ୍ଟ କରାଯାଇ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବଦନାମ କରାଯାଉଛି ଏବଂ ତାଙ୍କ ଫଟୋକୁ ମଧ୍ୟ ଭୁଲ୍ ଭାବରେ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି।
ତେବେ ତେଜ ପ୍ରତାପଙ୍କ “ହ୍ୟାକିଂ” କଥା ସାମ୍ନାକୁ ଆସିବା ପରେ ଅନେକ ୟୁଜର୍ସ ତାଙ୍କର ପୁରୁଣା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଦେଇଛନ୍ତି ଯେଉଁଥିରେ ସେ ଅନୁଷ୍କାଙ୍କ ସହ କରୱା ଚୌଥ ପାଳନ କରୁଥିବାର ନଜର ଆସିଛନ୍ତି। ଏହାକୁ ନେଇ ୟୁଜର ଭିନ୍ନଭିନ୍ନ ମତ ଦେଇଛନ୍ତି।
କେବଳ ଏତିକି ନୁହେଁ କିଛି ଲୋକ ତେଜ ପ୍ରତାପଙ୍କୁ ଏଥିପାଇଁ ସମାଲୋଚନା ମଧ୍ୟ କରିଥିଲେ। ଜଣେ ୟୁଜର ଏହା ମଧ୍ୟ ଲେଖିଛନ୍ତି ଯେ ଯଦି ପ୍ରେମ ୧୨ ବର୍ଷ ର ଥିଲା ତେବେ ଐଶ୍ୱର୍ଯ୍ୟା ରାୟଙ୍କ ଜୀବନ କାହିଁକି ନଷ୍ଟ କଲେ?
୨୦୧୮ ମସିହାରେ ତେଜ ପ୍ରତାପ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ନାତୁଣୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ମଧ୍ୟରେ ହିଁ ଦୁହିଁଙ୍କ ମଧ୍ୟରେ କଳହ ଯୋଗୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ୍ ଦୁହିଁଙ୍କ ଛାଡପତ୍ର ମାମଲା କୋର୍ଟରେ ବିଚାରଧୀନ ରହିଛି।
Comments are closed.