Latest Odisha News

BREAKING NEWS

ସକାଳ ୫.୩୦ରୁ ରାଜଧାନୀର ତାପମାତ୍ରା ୩୦ ଡିଗ୍ରୀ ଛୁଇଁଲା, ଆଗାମୀ ୨ ଦିନ ଏମିତି ତାତିବ ଉପକୂଳ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।  ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡ଼ିଗ୍ରୀ ରହିଥିବା ବେଳେ ଆଦ୍ରତା ୮୮% ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ କହିଛି।

ଆଗାମୀ ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତାତିର ପ୍ରଭାବରେ ଆଗାମୀ ୨ ଦିନ ଯାଏ  ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଟ୍ୱିଟ୍ କରିଛି।

ଗରମ ଓ ଗୁଳୁଗୁଳି ପାଇଁ ଛୋଟ ପିଲା ଓ ବୟସ୍କଙ୍କ ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ବିଭାଗ ଟ୍ୱିଟ୍ କରି କହିଛି ଯଦିଓ ଗରମ ଏବଂ ଗୁଳୁଗୁଳି ସୁସ୍ଥ ଲୋକମାନେ ସହିପାରିବେ କିନ୍ତୁ ଛୋଟ ପିଲା, ବୟସ୍କ ବ୍ୟକ୍ତି ତଥା ରୋଗିଣା ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ସିଧାସଳଖ ଖରାରୁ ଦୂରେଇ ରହିବା ସହ ଯଥେଷ୍ଟ ମାତ୍ରରେ ପାନୀୟ ଗ୍ରହଣ କରନ୍ତୁ ଏବଂ ରହୁଥିବା ସ୍ଥାନକୁ ଶୀତଳ ରଖିବାକୁ ବିଭାଗ ପରାମର୍ଶ ଦେଇଛି।

ସେହିପିର ଚାଷୀ ଭାଇଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ପାଣିପାଗ ବିଭାଗ। ଖରାଟିଆ ଚାଷ କରିଥିବା ଚାଷୀଭାଇମାନେ ନିଜ ଜମିରେ ଜଳସେଚନ ଜାରିରଖିବାକୁ ପରାମର୍ଶ ଦିଆଯାଇଛି। ଗୃହପାଳିତ ପଶୁ ଏବଂ ପକ୍ଷୀମାନଙ୍କ ନିରାପଦ ସ୍ଥାନରେ ସୁରକ୍ଷିତ ରଖିବା ସହ ସିଧାସଳଖ ଖରାରୁ ଦୂରେଇ ରଖିବାକୁ ପାଣିପାଗ ବିଭାଗ ପରାମର୍ଶ ଜାରି କରିଛି।

Comments are closed.