Latest Odisha News

BREAKING NEWS

ରାଜନୀତିରେ ମନ୍ଦିର: ବିଜେପିର ରାମ ମନ୍ଦିର ବେଳେ ନିର୍ବାଚନ ବେଳେ ଟିଏମସି ଖେଳିବ ଜଗନ୍ନାଥ ମନ୍ଦିର କାର୍ଡ?

କୋଲକାତା: କେବଳ ଯେ ସାଧାରଣ ନିର୍ବାଚନ ବେଳେ ବିଜେପି ଅଯୋଧ୍ୟାର ରାମ ମନ୍ଦିର ଏବଂ ଓଡ଼ିଶାରେ ବିଜେଡି ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଜରିଆରେ ଭୋଟ୍ ହାତେଇବାକୁ ଯୋଜନା କରିଛି ତାହା ନୁହେଁ ବରଂ ପଶ୍ଚିମବଙ୍ଗର ଶାସକ ଦଳ ତଥା ବିରୋଧୀ ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ରାଜନୈତିକ ଦଳ ତୃଣମୂଳ କଂଗ୍ରେସ ମଧ୍ୟ ଏଥିରେ ପଛରେ ନାହିଁ।

ପଶ୍ଚିମବଙ୍ଗର ଅନ୍ୟତମ ବୃହତ୍ତମ ମନ୍ଦିର ଭାବେ ତିଆରି ହେଉଥିବା ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ଏବେ ଉଭୟ ଉତ୍ସାହ ଓ ବିତର୍କ ସୃଷ୍ଟି କରିଛି। ଆସନ୍ତାମାସରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ଶାସକ ଦଳର ନେତା ଉତ୍ସାହିତ ରହିଛନ୍ତି। ଏପରି କରି ବିଜେପି ହିନ୍ଦୁ ଭୋଟରଙ୍କୁ ନିଜ ପଟକୁ ଆଣିବାକୁ ଚେଷ୍ଟା କରୁଛି।

ଆଉ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରିୟ ପ୍ରକଳ୍ପ ଭାବେ ପରିଚିତ ଦୀଘାରେ ତିଆରି ଚାଲିଥିବା ଜଗନ୍ନାଥ ମନ୍ଦିର ୨୦୨୪ ମାର୍ଚ୍ଚରେ ଶେଷ ହୋଇ ଏପ୍ରିଲରେ ପ୍ରତିଷ୍ଠା ବୋଲି ଆଶା କରାଯାଉଛି। ଯେଉଁ ସମୟରେ କି ନିର୍ବାଚନର ବିଗୁଲ ବାଜିସାରିଥିବ କିମ୍ବା ବାଜିବାକୁ ଯାଉଥିବ।

ଦିଦି ଏହି ମନ୍ଦିରର ଉଦଘାଟନ କରିବାକୁ ଲକ୍ଷ୍ଯ ରଖିଛନ୍ତି। ଆଉ ଏହା ଜରିଆରି ରାଜ୍ୟର ହିନ୍ଦୁ ଭୋଟରଙ୍କ ଆସ୍ଥା ଜିତିବାକୁ ପ୍ରୟାସ କରିବେ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ବିଜେପି ସରକାର ଅମଳରେ ତିଆରି ହୋଇଥିବା ଅଯୋଧ୍ୟାର ରାମ ମନ୍ଦିର ସହିତ ଏକ ପ୍ରକାର ରାଜନୈତିକ ମୁକାବିଲା ଭାବରେ ଦେଖାଯାଉଛି।

ତେବେ ରାଜ୍ୟ ବିଜେପି ପଶ୍ଚିମବଙ୍ଗର ଏହି ପ୍ରକଳ୍ପକୁ ସମାଲୋଚନା କରିବା ସହ ଏହାକୁ ପ୍ରହସନ ଏବଂ ଟିକସଦାତାଙ୍କ ପାଣ୍ଠିର ଅପବ୍ୟବହାର ବୋଲି କହିଛି। ଏପରିକି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହାକୁ ମନ୍ଦିର ନୁହେଁ ବରଂ ସାଂସ୍କୃତିକ କେନ୍ଦ୍ର ବୋଲି କହିଛନ୍ତି।

ରାଜନୈତିକ ବୟାନବାଜି ଭିତରେ କିନ୍ତୁ ସ୍ଥାନୀୟ ବାସିନ୍ଦା ମନ୍ଦିରକୁ ନେଇ ଉତ୍ସାହିତ ଅଛନ୍ତି। ସୁଷମା ଜେନା ନାମକ ଜଣେ ମହିଳା କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ତାଙ୍କ ପ୍ରତିଶ୍ରୁତି ପୂରଣ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଏହା ଜରିଆରେ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନ ଓ ବ୍ୟବସାୟିକ ସୁଯୋଗ ବୃଦ୍ଧି ପାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦକୁ ଭରସା କରି ସେ କହନ୍ତି, “ଆମେ ସମସ୍ତେ, ଦୋକାନ ଖୋଲିପାରିବା ଏବଂ ପର୍ଯ୍ୟଟକମାନଙ୍କ ପାଇଁ ରିକ୍ସା ଚଳାଇପାରିବା।

ପଶ୍ଚିମବଙ୍ଗ ଉପକୂଳରେ ଏହି ଭବ୍ୟ ଜଗନ୍ନାଥ ଧାମ ଏବେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଓ ଧାର୍ମିକ ଉତ୍ସାହର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା କାହାପାଇଁ ଆଶୀର୍ବାଦ ଆଣିବ ତ ଆଉ କାହାପାଇଁ ରାଜନୈତିକ ପ୍ରତିଦ୍ବନ୍ଦିତା ପାଲଟିବାକୁ ଯାଉଛି। ଯାହା ଦେଖିବାକୁ ବାକି ରହିଲା।

Comments are closed.