ମୁମ୍ବାଇ: ଭାରତର ଦୁଇ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀଙ୍କ ବନ୍ଧୁତା ନେଇ ଏବେ ମଧ୍ୟ ଚର୍ଚ୍ଚା ହୁଏ । ପିଲାବେଳୁ ଉଭୟ ଭଲ ବନ୍ଧୁଥିଲେ । କ୍ରିକେଟ ପ୍ରତିଭାରେ ଧନୀ ଏହି ଦୁଇ ଖେଳାଳି ଦେଶ ପାଇଁ ନାମ କମାଇଥିଲେ । ତେବେ ମଝିରେ କାମ୍ବଲୀ ପଥଭ୍ରଷ୍ଟ ହୋଇ ପଡି ନିଜ କ୍ୟାରିୟାକୁ ନଷ୍ଟ କରି ଦେଇଥିଲେ । ନିଶା କବଳରେ ପଡିବା ପରେ ଏବେ ସେ ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ହୋଇ ପଡିଛନ୍ତି । କାମ୍ବଲୀଙ୍କୁ ଏବେ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହା ମଧ୍ୟରେ ସଚିନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସକାରାତ୍ମକ ଓ ନକାରାତ୍ମକ ଆଲୋଚନା ହୋଇଛି । ଦୀର୍ଘ ଦିନ ପରେ ପ୍ରକୃତରେ ଉଭୟଙ୍କ ସମ୍ପର୍କ କିପରି ଥିଲା ତାର ଖୁଲାସା ଭାଇ ବୀରେନ୍ଦ୍ର କାମ୍ବଲୀ କରିଛନ୍ତି ।
ସେ କହିଛନ୍ତି ସଚିନ ଅଧିକାଂଶ ସମୟରେ ଫୋନ କରି କାମ୍ବଲୀଙ୍କ ସ୍ୱାସ୍ଥବସ୍ଥା ପଚାରି ବୁଝିଥାନ୍ତି । ସେ କହିଛନ୍ତି ଉଭୟ ଭଲ ଖେଳାଳି ଥିଲେ ମଧ୍ୟ କାମ୍ବଲୀ କେବେ ହେଲେ ନିଜକୁ ସଚିନଠାରୁ ଭଲ ବୋଲି ଭାଇଙ୍କୁ ମଧ୍ୟ କହି ନାହାନ୍ତି । ସଚିନଙ୍କ ସହ ତାଙ୍କ ବନ୍ଧୁତା ଏବେ ବି ଅତୁଟ ରହିଛି । ସେ ସର୍ବଦା ଆମ ପରିବାର ସହ ଛିଡା ହୋଇଛନ୍ତି । ମିଡିଆରେ ଯାହା କିଛି ଖବର ପ୍ରକାଶ ପାଏ ତାର ସତ୍ୟତା କିଛି ନ ଥାଏ । କାମ୍ବଲୀ ଏବେ ଅନେକ ବଦଳି ଯାଇଛନ୍ତି । ସେ ନିଜକୁ ଭଲ କରିବା ପାଇଁ ଚେଷ୍ଟା କରୁଛନ୍ତି । କାମ୍ବଲୀ ୧୯୯୧ରେ ଭାରତ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ୨୦୦୦ରେ ସେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ । ଭାରତ ପକ୍ଷରୁ ୧୭ ଟେଷ୍ଟରେ ୧୦୮୪ ରନ କରିଛନ୍ତି । ଏଥିରେ ୪ ଶତକ ଓ ୩ ଅର୍ଦ୍ଧଶତକ ରହିଛି । ୧୦୪ ଦିନିକିଆରେ ବିନୋଦ ୨୪୭୭ ରନ ସଂଗ୍ରହ କରିଛନ୍ତି । ଏଥିରେ ୨ ଶତକ ଓ ୧୪ ଅର୍ଦ୍ଧଶତକ ରହିଛି ।
Comments are closed.