Latest Odisha News

BREAKING NEWS

ଉଚ୍ଛେଦ ବେଳେ ଉତ୍ତେଜନା, ମହିଳା ବ୍ୟବସାୟୀଙ୍କୁ ବାସନ ମାଜିବାକୁ ଅଧିକାରୀ କହିଥିବା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ୟୁନିଟ୍ ୨ ସ୍ଥିତ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଥିଲା। ବିଏମସି ଏନଫୋର୍ସମେଣ୍ଟ ଟିମର କିଛି ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଅନେକ ଦୋକାନୀ । ଏହାର ଜବାବରେ ବହୁ ସଂଖ୍ୟାରେ ଉଠାଦୋକାନୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ଉଚ୍ଛେଦ କାର୍ଯ୍ୟରେ ସାମିଲ ଥିବା ଅଧିକାରୀମାନେ ସେମାନଙ୍କ ପ୍ରତି ଅସୌଜନ୍ୟ ଆଚରଣ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ଅଶାଳୀନ ମନ୍ତବ୍ୟ ଦିଆଯାଉଛି ବୋଲି ବ୍ଯବସାୟୀ ଅଭିଯୋଗ କରିବା ସହ ଅଧିକାରୀମାନେ କାହିଁକି ଏହି ଅଞ୍ଚଳରେ ଦୋକାନ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ବାସନ ଧୋଇବାକୁ ମଧ୍ୟ କହିଛନ୍ତି ବୋଲି ଜଣେ ମହିଳା ବ୍ୟବସାୟୀ କହିଛନ୍ତି। ଦୋକାନୀମାନେ ମଧ୍ୟ ଉଚ୍ଛେଦକୁ ବିରୋଧ କରି କହିଥିଲେ ଯେ ତାଙ୍କୁ ବିସ୍ଥାପିତ କରିବା ପୂର୍ବରୁ ଉପଯୁକ୍ତ ଥଇଥାନ କରିବାର ଥିଲା।

ବିଏମସି ଅଧିକାରୀଙ୍କ କହିବାନୁସାରେ, ହାଇକୋର୍ଟରୁ ସ୍ଥଗିତାଦେଶ ପାଇଥିବା ଦୋକାନଗୁଡ଼ିକୁ ଏହି ସମୟରେ ଭଙ୍ଗାଯାଇନାହିଁ। ଏହାବ୍ୟତୀତ ବ୍ୟବସାୟୀମାନଙ୍କୁ ଉଚ୍ଛେଦ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥିଲା। ତେବେ ବିରୋଧ କରୁଥିବା ବ୍ୟବସାୟୀମାନେ ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ସେମାନଙ୍କୁ କୌଣସି ସରକାରୀ ନୋଟିସ୍ ମିଳିନାହିଁ କିମ୍ବା ସେମାନଙ୍କୁ ସେମାନଙ୍କ ଜିନିଷପତ୍ର ସ୍ଥାନାନ୍ତର ପାଇଁ ସୁଯୋ ଦିଆଯାଇ ନାହିଁ।

ଯଦି କମିଶନର କିମ୍ବା ମେୟର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ୨୪ ଘଣ୍ଟା ଭିତରେ ସେମାନଙ୍କ ବାସ ଭବନ ଘେରାଉ ପାଇଁ ଚେତାବନୀ ଦେଇଛନ୍ତି ଉଠା ଦୋକାନୀ। ଏ ନେଇ ବିଏମସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.