Latest Odisha News

ଆତଙ୍କବାଦୀ ଲିଙ୍କ୍, କଟକ ସାଲେପୁରରୁ ଗିରଫ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କଟକ ସାଲେପୁରରୁ ଅଲକାଏଦା ଲିଙ୍କରେ ଗିରଫ ହୋଇଥିବା ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଦିଲ୍ଲୀର ପଟିଆଲା କୋର୍ଟ ରେହମାନ ଆତଙ୍କବାଦୀ ଲିଙ୍କରେ ଥିବା ନେଇ ସ୍ପଷ୍ଟ କରିବା ସହିତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୪ ତାରିଖରେ ଅବଦୁଲ ରେହମାନ ଦଣ୍ଡ ଘୋଷଣା କରାଯିବ।

ଭାରତରୁ ଲୁଚି ଲୁଚି ଯାଇ ପାକିସ୍ତାନ ଗସ୍ତ କରିଥିଲା ଅବଦୁର ରେହମାନ। ଏମିତିକି ସେଠାରେ ଥିବା ଅଲକାଏଦା ଆତଙ୍କବାଦୀ ସଂଗଠନ ସହ ମିଶି ଟ୍ରେନିଂ ନେଇଥିବା ଜଣାପଡ଼ିିଛି।

୨୦୧୫ରେ ରେହମାନକୁ ଦିଲ୍ଲୀ ପୁଲିସ, କମିସନରେଟ୍‌ ପୁଲିସ ସହାୟତାରେ ୨୦୧୫, ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ବିଳମ୍ବିତ ରାତିରେ ଗିରଫ କରିଥିଲା। ଏହି ମାମଲାରେ ମହମ୍ମଦ ଆସିଫ, ମହମ୍ମଦ ଅବଦୁର ରେହମାନ, ଜାଫର ମାସୁଦ ଏବଂ ଅବଦୁଲ ସାମି ମୋଟ୍ ୪ ଜଣଙ୍କୁ ଗିରଫ କରିଥିଲା ପୁଲିସ। ବେଆଇନ ମଦ୍ରାସା ଚଳାଇବା , ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ଦିଲ୍ଲୀ ପୋଲିସ ହାତରେ ଲାଗିଥିଲା। ଏନଆଇଏ ରେହମାନକୁ ଦିଲ୍ଲୀ ପୋଲିସ ସହାୟତାରେ ରିମାଣ୍ଡରେ ନେଇ ତଦନ୍ତ କରିସାରିଛି।

ଅବଦୁର ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ଅନ୍‌ଲଫୁଲ ଆକ୍ଟିଭିଟିଜ୍‌(ପ୍ରିଭେନସନ୍‌) ଆଇନ, ୧୯୬୭ର ଧାରା ୧୬,୧୭,୧୮,୧୮-ବି,୨୦,୨୧,୩୮,୪୦ ଓ ଆଇପିସିର ଦଫା ୧୨୪-ଏରେ ରେହମାନ ବିରୋଧରେ ଅଦାଲତରେ ଚାର୍ଜଫ୍ରେମ୍‌ କରାଯାଇଥିଲା।

୨୦୨୦ରେ ମାଆର ଶ୍ରାଦ୍ଧ କାମ ପାଇଁ ଚୌଦ୍ୱାର ଜେଲରୁ ପଶ୍ଚିମକଚ୍ଚ ଗାଁକୁ ଆସିଥିଲା ରେହମାନ। ଦିଲ୍ଲୀ କୋର୍ଟ ୪ ଘଣ୍ଟା ପାଇଁ ପାରୋଲ ଅନୁମତି ଦେଇଥିବାରୁ କଡା ସୁରକ୍ଷା ଭିତରେ ରେହମାନକୁ ନିଜ ପୈତୃକ ଘରକୁ ଅଣାଯାଇଥିଲା। ଏବେ ରେହମାନ କଟକ ଚୌଦ୍ୱାର ଜେଲରେ ଅଛି।

 

Comments are closed.