Latest Odisha News

BREAKING NEWS

ଆତଙ୍କବାଦୀ ରେହମାନ ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ

ନୂଆଦିଲ୍ଲୀ: କଟକରୁ ଗିରଫ ହୋଇଥିବା ମହମ୍ମଦ ଅବଦୁର ରେହମାନ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ସହ ଲିଙ୍କ୍ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ଏବେ ସଜା ଶୁଣାଯାଇଛି। ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ରେହମାନକୁ  ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀକୁ ଦଣ୍ଡ ଘୋଷଣା କରିବା ସହିତ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅନ୍ୟ ତିନି ଆତଙ୍କବାଦୀ ମହମ୍ମଦ ଆସିଫ, ଜାଫର ମସୁଦ ଓ ଅବଦୁଲ ସାମିକୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

୨୦୧୫ ଡିସେମ୍ବର ୧୬ ତାରିଖରେ କଟକ ନିକଟ ଟାଙ୍ଗୀରେ ବେଆଇନ ମଦ୍ରାସା ଚଳାଇବା ଏବଂ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନାମ ଲେଖାଇଥିବା ଯୁବକମାନଙ୍କୁ ମୌଲବୀ କରିବା ଅଭିଯୋଗରେ ଦିଲ୍ଲୀ ଓ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ସେଲର ମିଳିତ ଅଭିଯାନରେ ରେହମାନକୁ ଗିରଫ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ରେହମାନ ବେଆଇନ ଭାବେ ପାକିସ୍ତାନ ଗସ୍ତରେ ଯାଇ ସେଠାରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜାକିର-ଉର-ରେହମାନ ଲଖଭି ଓ ସାଜିଦ୍ ମୀର ସମେତ ଅନ୍ୟ ଆତଙ୍କବାଦୀଙ୍କୁ ଭେଟିଥିଲା। ୨୦୧୮ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ, ସେ ୧୯୯୯ କାନ୍ଦାହାର ବିମାନ ଅପହରଣ ଏବଂ ୨୦୦୨ରେ କୋଲକାତାର ଆମେରିକୀୟ ସେଣ୍ଟର ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ଆତଙ୍କବାଦୀଙ୍କ ସହ ତା’ର ସମ୍ପର୍କ ଥିବା ସ୍ୱୀକାର କରିଥିଲା। କଟକର କାନ୍ଦାହାର ବିମାନ ଅପହରଣରେ ସମ୍ପୃକ୍ତ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ସେ ସୁରକ୍ଷିତ ଆଶ୍ରୟ ଦେଇଥିଲା। ଜଣେ ମୌଲବୀ ଭାବେ ରେହମାନ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡରେ ଅନେକ ‘ଜଲସା’ କାର୍ଯ୍ୟକ୍ରମରେ ଉତ୍ତେଜକ ଭାଷଣ ମଧ୍ୟ ଦେଇଥିଲା।

 

Comments are closed.