ମୁମ୍ବାଇ: ଅଭିନୟକୁ ବାଏ ବାଏ କଲେ ସାଉଥ ସୁପରଷ୍ଟାର ଥଲାପତି ବିଜୟ । ଅଭିନୟ ଜଗତରୁ ନେଲେ ସନ୍ୟାସ । ଏହାର କାରଣ କ’ଣ ନିଜେ କହିଛନ୍ତି ବିଜୟ । ଦୀର୍ଘ ଦଶନ୍ଧି ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ବିଜୟ । ଥଲାପତି ନାଁ ଶୁଣିବା ମାତ୍ରେ ବଢିଯାଉଥିଲା ଫାନ୍ସଙ୍କ କ୍ରେଜ । ଅଭିନେତାଙ୍କ ଫିଲ୍ମ ଦେଖିବାକୁ କେବଳ ସାଉଥ ନୁହଁ ଦେଶର କୋଣ ଅନୁକୋଣ ରେ ଲାଗୁଥିଲା ଲମ୍ବା ଲାଇନ । ତେବେ ବିଜୟଙ୍କର ଏପରି ଏକ ନିଷ୍ପତ୍ତି ଶୁଣି ତାଙ୍କ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଛି ।
ଅଭିନୟ ପରେ ରାଜନୀତିରେ ପାଦ ଥାପିଥିଲେ ବିଜୟ । ଆଉ ଏବେ କେବଳ ରାଜନୀତି ଉପରେ ଗୁରୁତ୍ବ ଦେଇ ସେଥିରେ ସକ୍ରିୟ ରହିବାକୁ ନେଇଛନ୍ତି ନିଷ୍ପତ୍ତି । ରାଜନୀତି ପାଇଁ ନିଜ ଅଭିନୟ କ୍ୟାରିୟରରୁ ବିଦାୟ ନେଲେ ବିଜୟ । ତେବେ ଆଗକୁ ଆସୁଛି ବିଜୟଙ୍କ ଶେଷ ଫିଲ୍ମ ‘ଜନ ନାୟଗନ୍’ । ଶନିବାର ମାଲେସିଆରେ ଫିଲ୍ମ ‘ଜନ ନାୟଗନ୍’ର ଅଡିଓ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୟ ତାଙ୍କର ଏହି ବଡ଼ ଘୋଷଣା କରିଛନ୍ତି । ‘ଜନ ନାୟଗନ୍’ ୫୧ ବର୍ଷୀୟ ଥଲାପତି ବିଜୟଙ୍କ ଅନ୍ତିମ ଫିଲ୍ମ ହେବ । ଅଭିନୟ ଛାଡ଼ି ସେ ପୂରାପୂରି ରାଜନୀତି ଉପରେ ଫୋକସ୍ କରିବାକୁ ସ୍ପଷ୍ଟ କରିଛନ୍ତି ।
କାର୍ଯ୍ୟକ୍ରମରେ ବିଜୟ କହିଥିଲେ, ଲୋକେ ତାଙ୍କ ପାଇଁ ଥିଏଟରକୁ ଆସି ଲାଇନରେ ଛିଡ଼ା ହୁଅନ୍ତି । ସେଥିପାଇଁ ସେ ଆଗାମୀ ୩୦-୩୩ ବର୍ଷ ଯାଏ ଲୋକଙ୍କ ପାଇଁ ଛିଡ଼ା ହେବାକୁ ପ୍ରସ୍ତୁତ ଅଛନ୍ତି । ସେହି ପ୍ରଶଂସକଙ୍କ ଲାଗି ହିଁ ସେ ଫିଲ୍ମ ଜଗତରୁ ସନ୍ନ୍ୟାସ ନେଉଛନ୍ତି । ନିଜ ଦର୍ଶକଙ୍କ ମନୋରଞ୍ଜନ କରିବା ପରେ ଏବେ ସେମାନଙ୍କ ସେବାରେ ନିଜ ଜୀବନ ବିତାଇବି ବୋଲି କହିଥିଲେ ବିଜୟ । ଏହା ସହ ତାଙ୍କୁ ଦୀର୍ଘବର୍ଷ ଧରି ମିଳିଥିବା ଭଲପାଇବା ପାଇଁ ବିଜୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଆସନ୍ତୁ ନଜର ପକାଇବା ବିଜୟଙ୍କ କ୍ୟାରିୟର ଉପରେ :
ବିଜୟଙ୍କ କ୍ୟାରିୟର କଥା କହିବାକୁ ଗଲେ ମାତ୍ର ୧୦ ବର୍ଷ ବୟସରେ ତାମିଲ ଫିଲ୍ମ ‘ଭେଟ୍ରି’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ବିଜୟ । ୧୮ ବର୍ଷ ବୟସରେ ସେ ‘ନାଲୈୟା ଥିରପୁ’ ଫିଲ୍ମ ମାଧ୍ୟମରେ ନାୟକ ରୂପେ ଡେବ୍ୟୁ କରିଥିଲେ । ନିଜର ୩୩ ବର୍ଷ ଲମ୍ବା ଫିଲ୍ମ କ୍ୟାରିୟର ମଧ୍ୟରେ ପ୍ରଶଂସକଙ୍କୁ ସେ ଅନେକ ହିଟ୍ ଫିଲ୍ମ ଉପହାର ଦେଇଛନ୍ତି । ଶେଷ ଫିଲ୍ମ ‘ଜନ ନାୟଗନ୍’ରେ ତାଙ୍କ ସହିତ ଅଭିନେତ୍ରୀ ପୂଜା ହେଗଡେ ସ୍କ୍ରିନ୍ ସେୟାର କରିବେ । ବବି ଦେୱଲଙ୍କୁ ମଧ୍ୟ ସେଥିରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏଚ୍.ବିନୋଦ ଏହି ରାଜନୈତିକ ଆକ୍ସନ ଥ୍ରିଲରର ନିର୍ଦ୍ଦେଶନାରେ ଅଛନ୍ତି । ଆସନ୍ତାବର୍ଷ ଜାନୁଆରୀ ୯ ତାରିଖରେ ତାହା ରିଲିଜ୍ ହେବ । ଗତବର୍ଷ ବିଜୟ ନିଜର ରାଜନୈତିକ ଦଳ ତାମିଲଗା ଭେଟ୍ରି କାଜଗମ ଗଠନ କରିଥିଲେ । ୨୦୨୬ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ । ତେବେ ଅଭିନେତାଙ୍କ ଏଭଳି ନିଷ୍ପତ୍ତିକୁ ତାଙ୍କ ସମର୍ଥକ ମାନେ ସମ୍ମାନ ଜଣାଇଛନ୍ତି । ଏବଂ ବିଜୟଙ୍କର ରାଜନୀତି କ୍ୟାରିୟର ବି ସେତିକି ସଫଳ ହେଉ ବୋଲି ଶୁଭେଚ୍ଛା ଜଣାଉଛନ୍ତି ।