ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଘର ସାମ୍ନାରେ ଗତକାଲି ହୋଇଥିବା ବିକ୍ଷୋଭ ମାମଲାରେ 6 ଜଣଙ୍କୁ ଉଠାଇ ନେଇଥିଲା ପୋଲିସ l ସେହି 6 ଜଣଙ୍କୁ ଏବେ ଜାମିନ ମିଳିଛି l କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ ପରେ ଏବେ ବାହାରକୁ ବାହାରିଛନ୍ତି ଏହି 6 ଜଣ ବିକ୍ଷୋଭକାରୀ l
ରିପୋର୍ଟ ଅନୁଯାୟୀ, ଗତକାଲି ଅଭିନେତା ଅଲୁ ଅର୍ଜୁନଙ୍କ ହାଇଦ୍ରାବାଦ ଜୁବୁଲି ହିଲ୍ସ ସ୍ଥିତ ବାସଭବନ ଆଗରେ ପ୍ରତିବାଦ କରିବା ସହ ଟମାଟୋ ଓ ଅଣ୍ଡା ମାଡ଼ କରିଥିଲେ ଓସମାନିଆ ୟୁନିଭର୍ସିଟିରେ ସକ୍ରିୟ ଜେଏସି ଛାତ୍ର ସଂଗଠନ । ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବାସଭବନ ପରିସରକୁ ପଶି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୋଲିସ 6ଜଣ ବିକ୍ଷୋଭକାରୀଙ୍କୁ ମଧ୍ୟ ଉଠାଇନେଇଥିଲା l ତେବେ ଅଲୁ ମୃତ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଦିଅନ୍ତୁ ଏବଂ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବୀ କରିଥିଲେ ବିକ୍ଷୋଭକାରୀ । ପ୍ରଦର୍ଶନକାରୀମାନେ ଅଭିନେତାଙ୍କ ଘର ବାହାରେ ନାରାବାଜି କରିବା ସହ ନିଜର ଦାବିଗୁଡ଼ିକୁ ନେଇ ଚାପ ପକାଇବାକୁ ଚେଷ୍ଟା କରିଥିଲେ ।
ଅନ୍ୟପଟେ ପୋଲିସ କରିଥିବା ଆଉ ଏକ ଅଭିଯୋଗ ଏବେ ଅଭିନେତାଙ୍କ ଅସୁବିଧାକୁ ଆହୁରି ବଢ଼ାଇଛି l ପୋଲିସର କହିବା ଅନୁସାରେ ସେଦିନ ଦଳାଚକଟା ଘଟଣା ଅଲୁ ଅର୍ଜୁନଙ୍କୁ କୁହାଯାଇଥିଲା । ମାତ୍ର ସେ କଥାକୁ ଖାତିର ନକରି ଫିଲ୍ନ ଦେଖିବାକୁ ଯାଇଥିଲେ । ଗତକାଲି ହାଇଦ୍ରାବାଦ ପୋଲିସ ଏକ ଫଟୋ ଜାରି କରିଛି । ଯେଉଁଥିରୁ ଜଣାପଡିଛି ଯେ ଅଭିନେତା ବିଳମ୍ବିତ ରାତି ପର୍ଯ୍ୟନ୍ତ ଥିଏଟରରେ ଥିଲେ।
ସୂଚନାଯୋଗ୍ୟ, ଗତ ଡିସେମ୍ବର 4ତାରିଖରେ ହାଇଦ୍ରାବାଦ ସଂଧ୍ୟା ଥିଏଟରରେ ହୋଇଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର 9ବର୍ଷର ପୁଅ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛି l ଏହି ମାମଲାରେ ଅଭିନେତା ଅଲୁ ଅର୍ଜୁନଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା l କିନ୍ତୁ ଗିରଫ ହେବାର କିଛି ଘଣ୍ଟା ପରେ ଅଭିନେତାଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ l ଜାମିନ ମିଳିବା ପରେ ମଧ୍ୟ ଅଲୁଙ୍କୁ ଗୋଟେ ରାତି ଜେଲରେ ବିତେଇବାକୁ ପଡିଥିଲା l