Latest Odisha News

BREAKING NEWS

ଲୋକାର୍ପିତ ହେଲା ‘ଦି ବିଗ୍ ବୁକ୍ ଅଫ୍ ଓଡ଼ିଆ ଲିଟରେଚର୍’

ଭୁବନେଶ୍ୱର : ଆନ୍ତର୍ଜାତୀୟ ପ୍ରକାଶନ ସଂସ୍ଥା ‘ପେନ୍‌ଗୁଇନ୍ ରାନ୍‌ଡମ୍ ହାଉସ୍’ ଦ୍ବାରା ପ୍ରକାଶିତ ତଥା ପ୍ରକାଶକ ମନୁ ଦାଶଙ୍କ ଦ୍ବାରା ସମ୍ପାଦିତ ‘ଦି ବିଗ୍ ବୁକ୍ ଅଫ୍ ଓଡ଼ିଆ ଲିଟରେଚର୍’ ଇଂରାଜୀ ଭାଷାରେ ଅନୂଦିତ ଏକ ସଙ୍କଳନ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଲୋକାର୍ପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତରୁଣକାନ୍ତି ମିଶ୍ର, ପ୍ରଦୋଷ ଚନ୍ଦ୍ର ମହାନ୍ତି ଓ ଜଗଦୀଶ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ପୁସ୍ତକଟି ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ସମାଲୋଚକ କାଳୀଦାସ ମିଶ୍ର ପୁସ୍ତକଟିକୁ ସମୀକ୍ଷା କରିଥିଲେ ।

୬୭୨ ପୃଷ୍ଠା ବିଶିଷ୍ଟ ଏହି ସଙ୍କଳନର ପ୍ରାରମ୍ଭରେ ପୁସ୍ତକଟିର ସମ୍ପାଦକ ମନୁ ଦାସ ୫୦ ପୃଷ୍ଠା ବିଶିଷ୍ଟ ନିଜର ମୁଖବନ୍ଧରେ ଓଡ଼ିଆ ସାହିତ୍ୟର ବିଭିନ୍ନ କାଳଖଣ୍ଡର ଏକ ସଂକ୍ଷିପ୍ତ ତଥା ସାମଗ୍ରିକ ଚିତ୍ର ପ୍ରଦାନ କରିଛନ୍ତି। ଏଥିରେ ପ୍ରାଚୀନ ଯୁଗରୁ ନେଇ ଆଧୁନିକ ଯୁଗ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର ଏକ ପ୍ରତିଫଳନ ଘଟିଛି, ଏବଂ ସମସ୍ତ ସଂକଳିତ ରଚନା ଇଂରାଜୀ ଭାଷାରେ ଉନ୍ନତ ଭାବରେ ଅନୁବାଦିତ ହୋଇଛି। ପୁସ୍ତକଟି କବିତା, ନାଟକ, କ୍ଷୁଦ୍ରଗଳ୍ପ ତଥା ପ୍ରବନ୍ଧ, ଏହିଭଳି ଚାରିଗୋଟି ଭାଗରେ ବିଭକ୍ତ। ଏହାର ଅନ୍ୟତମ ବୈଶିଷ୍ଟ୍ୟ ହେଲା ଯେ, ପୁସ୍ତକଟିର କବିତା ବିଭାଗରେ ଓଡ଼ିଆ ବ୍ୟତୀତ ଓଡ଼ିଶାର କବିମାନଙ୍କ ଦ୍ବାରା ରଚିତ କୋଶଳୀ, ସଂସ୍କୃତ, ସାନ୍ତାଳୀ, କୁଇ, ଓରାଓଁ, ମୁଣ୍ଡାରୀ, କିଷାନ୍, ଖଡ଼ିଆଳ, ସାଡ୍ରୀ, କନ୍ଧ ଓ ପରଜା ଆଦି ଭାଷାର କବିତାମାନଙ୍କର ଅନୁବାଦ ମଧ୍ୟ ସ୍ଥାନିତ ହୋଇଛି।

ପେନଗୁଇନ୍ ରାନ୍‌ଡମ୍’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧରଣର ସିରିଜ୍‌ ବିଭିନ୍ନ ଭାରତୀୟ ଭାଷାର ସାହିତ୍ୟକୁ ଆଧାର କରି ସଙ୍କଳନମାନ ପ୍ରକାଶିତ ହେବାର ଯୋଜନା ରହିଛି।

 

 

 

 

Comments are closed.