Latest Odisha News

ଦୌଡ଼ ପ୍ରତିଯୋଗିତାରେ ବୃଦ୍ଧ ଦମ୍ପତିଙ୍କ କମାଲ,ଜାତୀୟ ପ୍ରତିଯୋଗିତା ପାଇଁ ହେଉଛନ୍ତି ପ୍ରସ୍ତୁତ

ଡେରାଡୁନ: ଛୋଟବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଅନେକ ପୁରସ୍କାର ଜିତିଥାନ୍ତି । ହେଲେ ନିକଟରେ ଏକ ବୃଦ୍ଧ ଦମ୍ପତି ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି । ଆଗକୁ ସେମାନେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି କାରଣରୁ ଏହି ଦମ୍ପତି ଏବେ ଖୁବ୍ ଚର୍ଚ୍ଚାରେ ।

ଉତ୍ତରାଖଣ୍ଡର ଅମଲୋରାରେ ରୁହନ୍ତି ଦମ୍ପତି ପୁରନ ଚନ୍ଦ୍ର ଭଟ୍ଟ ଓ ତାଙ୍କ ସ୍ତ୍ରୀ କମଳା ଭଟ୍ଟ । ପୁରନଙ୍କୁ ୭୨ ବର୍ଷ ହୋଇଥିବାବେଳେ କମଳାଙ୍କୁ ୬୨ବର୍ଷ । ଏମାନେ ଉତ୍ତରାଖଣ୍ଡ ମାଷ୍ଟର ଆଥ୍‌ଲେଟ୍‌ସ ଆଣ୍ଡ ସ୍ପୋର୍ଟସ ଡେଭଲପମେଣ୍ଟ କମ୍ପିଟିଶନରେ ମେଡାଲ ଜିତିଛନ୍ତି । ସେମାନେ ରୁଦ୍ରପୁରରେ ହୋଇଥିବା ଏହି ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ପୁରନ ୫ କି.ମି. ଦୌଡ଼ ଏବଂ ୫କି.ମି. ଚାଲିବାରେ ସ୍ୱର୍ଣ୍ଣ ପଦକ ଏବଂ ୮୦୦ ମିଟର ଦୌଡ଼ରେ ଗୋଟେ କାଂସ୍ୟ ପଦକ ଜିତିଛନ୍ତି । କମଳା ୪୦୦ ମିଟର, ୨୦୦ ମିଟର ଏବଂ ୧୦୦ ମିଟର ଦୌଡ଼ରେ ୩ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଉକ୍ତ ଦମ୍ପତିଙ୍କ ଏପରି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ପୁରନ କହିଛନ୍ତି, ସେ ସବୁଦିନ ସକାଳେ ୬ କି.ମି. ଦୌଡ଼ନ୍ତି । କମଳାଙ୍କୁ ଯେତେବେଳେ ସମୟ ମିଳେ ସେ ମଧ୍ୟ ଏକ୍ସରସାଇଜ କରନ୍ତି । ମାସରେ ଦୁଇଥର ସେ ମଧ୍ୟ ଦୌଡ଼ିଥାନ୍ତି । ଦମ୍ପତିଙ୍କ କହିବା କଥା ସମସ୍ତେ ନିଜ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ରୁଦ୍ରପୁରର ପ୍ରତିଯୋଗିତା ପରେ ହାଇଦ୍ରାବାଦରେ ଏହାର ଜାତୀୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଯେଉଁଥିରେ ଦମ୍ପତି ଭାଗ ନେବେ । ଏଥିପାଇଁ ସେମାନେ ପ୍ରସ୍ତୁତି ଚଳାଇଛନ୍ତି ।

Comments are closed.