Latest Odisha News

BREAKING NEWS

ସାମୟିକ ପାଇଁ କଟକ ସନ୍‌ ହସ୍ପିଟାଲ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

କଟକ: କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ହସ୍ପିଟାଲକୁ ସାମୟିକ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏବେ ହସ୍ପିଟାଲରେ ଚିକିତ୍ସା ଓ ଡାକ୍ତରୀ ପରୀକ୍ଷା ବନ୍ଦ ରହିଛି ।

ସୂଚନାଯୋଗ୍ୟ, କନିକା ଛକ ସ୍ଥିତ ସନ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡର ଠିକ୍‌ ସପ୍ତାହକ ପରେ କାର୍ଯ୍ୟାନୁଷ୍ଠାନକୁ ଓହ୍ଲାଇଛି ଜିଲ୍ଲା ପ୍ରଶାସନ । ହସ୍ପିଟାଲ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି, ନୀତିନିୟମ ଖିଲାପ୍‌ କରିଥିବା ଯୋଗୁଁ ହସ୍ପିଟାଲ୍‌କୁ ଏବେ ସମ୍ପୂର୍ଣ୍ଣ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । 

ଅଗ୍ନିକାଣ୍ଡ ଘଟଣାରେ ପ୍ରଶାସନ ପକ୍ଷରୁ ମଗାଯାଇଥିବା କୈଫିୟତରେ ସନ୍ତୋଷଜନକ ଉତ୍ତର ନମିଳିବାରୁ ଏବଂ ତଦନ୍ତରେ ହସ୍ପିଟାଲ୍‌ର ବହୁ ତ୍ରୁଟି ବିଚ୍ୟୁତି ଧରାପଡ଼ିବାରୁ ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ହସ୍ପିଟାଲରେ ନିଦାନ ପରୀକ୍ଷା ବନ୍ଦ କରିବା ସହ ଆଉଟ୍‌ଡୋର୍‌ ଏବଂ ୱାର୍ଡରେ ରୋଗୀ ସେବା ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ସନ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଉକ୍ତ ଘରୋଇ ହସ୍ପିଟାଲ ସରକାରଙ୍କ ବିଭିନ୍ନ ନୀତିନିୟମ ତଥା କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆକ୍ଟର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ସହ ରେକର୍ଡ ଯାଞ୍ଚ୍‌ କରାଯାଇଥିଲା । କ୍ଷେତ୍ର ପରିଦର୍ଶନ ସମୟରେ ବହୁ ନୀତି ନିୟମ ଖିଲାପ ହୋଇଥିବା ତଦନ୍ତକାରୀ ଟିମ୍‌ର ନଜରକୁ ଆସିଥିଲା । ଏଥିଲାଗି ଧନଜୀବନ ସୁରକ୍ଷା ଦୃଷ୍ଟିରୁ ଉକ୍ତ ହସ୍ପିଟାଲକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.