Latest Odisha News

ଅନନ୍ୟ ପରିବାର, ଡାକ୍ତରୀ ପେସାରେ ୧୪୦ରୁ ଊର୍ଦ୍ଧ୍ୱ ସଦସ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସଭରୱାଲ ପରିବାର ସବୁବେଳେ ଚର୍ଚ୍ଚାରେ । କାରଣ ଏହି ସ୍ୱତନ୍ତ୍ର ପରିବାରର ୫ ପିଢି ଡ଼ାକ୍ତରୀଙ୍କୁ ନିଜର ପେସା କରି ଆସିଛନ୍ତି । ଏବେ ଏହି ପରିବାରରେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ ଅଛନ୍ତି । ଏହି ପରିବାର ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

୧୯୧୯ରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀର ସଭରୱାଲ ପରିବାରର ୫ ପିଢି ଡାକ୍ତରୀକୁ ନିଜର ପେସା କରି ଆସିଛନ୍ତି । ୧୯୧୯ରେ ଲାଲା ଜୀବନମାଲ ସଭରୱାଲ ଯେକି ଲାହୋରରେ ଷ୍ଟେସନ ମାଷ୍ଟର ଥିଲେ ସେ ଗାନ୍ଧିଜୀଙ୍କ ବାଣୀରେ ବେଶ୍ ପ୍ରଭାବିତ ହୋଇଥିଲେ । ଗାନ୍ଧିଜୀ କହିଥିଲେ ଦେଶର ଉନ୍ନତି ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ନିହାତି ଜରୁରୀ । ସେଥିପାଇଁ ସେ ଏକ ଡାକ୍ତରଖାନା ଖୋଲିବାକୁ ଚିନ୍ତା କଲେ । ଆଉ ସେ ପାକିସ୍ତାନର ଜଲାଲପୁରରେ ଏକ ହସ୍ପଟାଲ ଖୋଲିଲେ । ତା’ସହ ନିଜର ଚାରି ପୁଅକୁ ଡାକ୍ତର କରିବାକୁ ନିଷ୍ପତି ନେଲେ । ସ୍ୱାଧୀନତା ପରେ ସେ ଦିଲ୍ଲୀ ଚାଲି ଆସିଲେ । ଦିଲ୍ଲୀରେ ବି ଏକ ଡାକ୍ତରଖାନା କଲେ, ଯାହାର ନାମ ଦେଲେ ‘ଜିୱନମଲ ହସ୍ପିଟାଲ’ ।

ଏହାପରେ ପରିବାରର ପ୍ରଥମ ଡାକ୍ତର ତାଙ୍କ ବଡ଼ ପୁଅ ବୋଧରାଜ ହେଲେ । ଆଉ ପରପିଢିର ସମସ୍ତେ ଡାକ୍ତରୀ ପାଠ ପଢିବେ ତା’ର ଦାୟିତ୍ୱ ବୋଧରାଜ ନେଲେ । ଘରର ପୁଅଙ୍କ ପାଇଁ ଡାକ୍ତରୀ କନିଆ ବି ଖୋଜା ଗଲା । ଏମିତିରେ ପରିବାରର ସମସ୍ତେ ହେଲେ ଡାକ୍ତର । ଏବେ ବି ଏହି ଧାରା ବଳବତ୍ତର ଅଛି । ତେବେ ଏହି ଧାରାକୁ ଜାରି ରଖିବା ଏତେ ସହଜ ନ ଥିଲା । କାରଣ ଘରର ଜଣେ ପୁଅ ତ ମ୍ୟାନେଜମେଣ୍ଟ ଡିଗ୍ରି କରିବା ଆରମ୍ଭ କରିଥିଲେ । ହେଲେ ଜେଜେମା’ଙ୍କ ଚାପ ଓ ପରିବାରର ସମସ୍ତଙ୍କ ଭାବାତ୍ମକ ନିବେଦନ ତାଙ୍କୁ ମାନେଜମେଣ୍ଟ ପଢା ଛାଡି ଡାକ୍ତରୀ ପଢିବାକୁ ବାଧ୍ୟ କଲା । ଯେକି ଏବେ ଜଣେ ବଡ଼ ସର୍ଜନ ଅଛନ୍ତି ।

ଏହି ପରିବାର ଦ୍ୱାରା ପରିଚାଳିତ ହସ୍ପିଟାଲରେ ଟଙ୍କା ଅଭାବରୁ କାହାରି ଚିକିତ୍ସା ବନ୍ଦ କରାଯାଏ ନାହିଁ । ଉକ୍ତ ଡାକ୍ତର ପରିବାରରେ ଶାଶୁ ବୋହୁର କଳହ ଦେଖିବାକୁ ମିଳେନା । ବରଂ ଶାଶୁ ବୋହୂ ନିଜ ନିଜ ରୋଗୀ ସମ୍ପର୍କରେ କଥା ହୁଅନ୍ତି । ଡାଇନିଂ ଟେବୁଲରେ ବି ପଡ଼େ ହସ୍ପିଟାଲ କଥା । ପରିବାରର ସମସ୍ତେ ରୋଗୀ ସେବା ଏତେ ନିଷ୍ଠାର ସହ କରନ୍ତି ଯେ, କରୋନାରେ ଦୁଇଜଣଙ୍କର ମୃତ୍ୟୁ ବି ହୋଇଛି ।

Comments are closed.