Latest Odisha News

ଗୋସ୍ୱାମୀ ପ୍ରେସର ପ୍ରତିଷ୍ଠାତା ଦିବାକର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ଗୋସ୍ୱାମୀ ପ୍ରେସର ପ୍ରତିଷ୍ଠାତା ଦିବାକର ମିଶ୍ର । ସୋମବାର ସକାଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ବାଡଗଡ ସ୍ଥିତ ସ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ପତ୍ନୀ ଚିନ୍ମୟୀ ଦେବୀ, ପୁଅ ନିତ୍ୟାନନ୍ଦ, ବ୍ରଜାନନ୍ଦ, ଶ୍ୟାମାନନ୍ଦ, ଗୋପଳନନ୍ଦ ଆଦି ସମସ୍ତ ପରିବାର ପରିଜନ ଉପସ୍ଥିତ ଥିଲେ ।

୧୯୨୩ ମସିହାରେ କଟକର ଏରସମା ଥାନା ଅନ୍ତର୍ଗତ ପଂଚପଲ୍ଲୀ ଗ୍ରାମରେ ଦିବାକର ମିଶ୍ର ଜନ୍ମଗ୍ରହଣ କରିଥିଲେ । ସେ ୧୯୫୨ ମସିହାରେ କଟକରେ ଗୋସ୍ୱାମୀ ପ୍ରେସର ପ୍ରତିଷ୍ଠା କରି ଓଡ଼ିଶାର ମୁଦ୍ରଣ ଶିଳ୍ପ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିଲେ । ୧୯୬୭ରେ ଭୁବନେଶ୍ୱରରେ ସେ ଗ୍ରାଫ୍‌ଟେକ୍ ପ୍ରେସ ନାମରେ ଏକ ଅଫ୍‌ସେଟ୍ ପ୍ରେସ ସ୍ଥାପନ କରିଥିଲେ ।

ଦିବାକର ମିଶ୍ର ଜଣେ ପରମ ବୈଷ୍ଣବ ଥିଲେ । ସେ ପ୍ରାୟ ୨୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ସେଥିମଧ୍ୟରୁ ଶ୍ରୀ ଭାଗବତ ଧର୍ମ, ଶ୍ରୀଭକ୍ତି ବିଜ୍ଞାନ, ମହତ୍ କୃପା ଓ ଅନ୍ତର୍ଦାହ ଆଦି ଅନ୍ୟତମ । ଖାଡଙ୍ଗା ଭାଗବତର ସଂପୂର୍ଣ୍ଣ ସଂସ୍କରଣ ତାଙ୍କରି ଉଦ୍ୟମରେ ପ୍ରକାଶିତ ହୋଇଛି । ଦିବାକର ମିଶ୍ର ହେଉଛନ୍ତି ବିଦ୍ୟାପୁରୀ ପ୍ରକାଶନ ସଂସ୍ଥାର ପ୍ରତିଷ୍ଠାତା ସ୍ୱର୍ଗତ ପିତାମ୍ବର ମିଶ୍ରଙ୍କ ବଡ ଭାଇ ।

Comments are closed.