Latest Odisha News

BREAKING NEWS

୩୪ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ କରୋନା ନେଲା ୫୬ ଜୀବନ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୪୩୩ରେ ପହଞ୍ଚିଛି। ମାର୍ଚ୍ଚ ୧୮ ତାରିଖରେ ୨୦୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ପାଖାପାଖି ୩୪ ଦିନ ମଧ୍ୟରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା।

ଏପ୍ରିଲ ୧୧ ତାରିଖରୁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୪୯,୯୭୪ରେ ପହଞ୍ଚିଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ୫,୨୨,୦୬୨ରେ ପହଞ୍ଚିଛି।

ବର୍ତ୍ତମାନ ସୁଦ୍ଧା ୮୩.୩୩ କୋଟି କରୋନା ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୪୯ ହଜାର ୧୧୪ଟି ନମୁନା ପରୀକ୍ଷା କରାଯାଇଛି। ବୁଧବାର ଭାରତରେ ୨ ହଜାର ୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗୁରୁବାର ସକାଳ ୮ଟାରେ ପ୍ରକାଶ ପାଇଥିବା ସରକାରୀ ରିପୋର୍ଟ ଅନୁୟାୟୀ ଭାରତରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୪୩୩ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୦.୦୩% ରହିଥିବା ବେଳେ ଆରୋଗ୍ୟ ହାର ଏବେ ୯୮.୭୬% ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ  ହଜାରେ ୨୩୧ ଆରୋଗ୍ୟ ସହିତ ମୋଟ ଆରୋଗ୍ୟ ସଂଖ୍ୟା ୪ କୋଟି ୨୫ ଲକ୍ଷ ୧୪ ହଜାର ୪୭୯ କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୩୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦୈନିକ ପଜିଟିଭ୍ ହାର ୦.୫୩% ଏବଂ ସାପ୍ତାହିକ ପଜିଟିଭ୍ ହାର ୦.୪୩%ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୮୭.୦୭ କୋଟିରୁ ଅଧିକ ଟିକା ଦିଆଯାଇଛି।

Comments are closed.