Latest Odisha News

BREAKING NEWS

ରାତିରେ ଜଳୁଥିବା ଛତୁକୁ ଟର୍ଚ୍ଚ ଭାବେ ବ୍ୟବହାର କରନ୍ତି ଗ୍ରାମବାସୀ

ଦୁନିଆରେ ବିଭିନ୍ନ ପ୍ରକାରର ଛତୁ ରହିଛି । କାହାର ରଙ୍ଗ ଧଳା କିମ୍ବା ଧୂସର ହୋଇଥିବା ବେଳେ ଆଉ କେତେକ ରଙ୍ଗିନ୍ ମଧ୍ୟ ହୋଇଥାଏ । ଆମେ କେତେକ ଛତୁକୁ ଖାଦ୍ୟ ଭାବେ ଗ୍ରହଣ କରୁଥିବା ବେଳେ ଆଉ କିଛି ବିଷାକ୍ତ ମଧ୍ୟ ହୋଇଥାଏ । କିନ୍ତୁ ଦୁନିଆରେ ଏମିତି ଏକ ପ୍ରଜାତିର ଛତୁ ଅଛି, ଯାହା ରାତିର ଅନ୍ଧାରରେ ସବୁଜ ଆଲୋକ ଦେଇଥାଏ । ଏହାକୁ ସ୍ଥାନୀୟ ଲୋକେ ଟର୍ଚ୍ଚ ଭାବେ ବ୍ୟବହାର କରିଥାନ୍ତି । ମେଘାଳୟର ଘଞ୍ଚ ଜଙ୍ଗଲରେ ଦେଖିବାକୁ ମିଳେ ଏଭଳି ବିରଳ ଛତୁ । ।

ସାଧାରଣତଃ ଉତ୍ତର-ପୂର୍ବ ଭାଗରେ ଥିବା ବାଉଁଶ ଜଙ୍ଗଲରେ ଏହି ପ୍ରଜାତିର ଛତୁ ଦେଖିବାକୁ ମିଳିଥାଏ । ବିଶେଷକରି ଏହି ପ୍ରଜାତିର ଛତୁ ମେଘାଳୟରେ ବେଶୀ ଦେଖିବାକୁ ମିଳେ । ବର୍ଷାଦିନେ ହେଉଥିବା ଏହି ଛତୁ ଦିନରେ ଅନ୍ୟ ସାଧାରଣ ଛତୁ ଭଳି ଦେଖାଯାଇଥାଏ । କିନ୍ତୁ ରାତିର ଅନ୍ଧାରରେ ସେଥିରୁ ହାଲୁକା ବାଇଗଣୀ,ନୀଳ କିମ୍ବା ହଳଦିଆ ରଙ୍ଗର ଆଲୋକ ବାହାରିଥାଏ । ଏଗୁଡ଼ିକୁ ବାୟୋଲୁମାଇନସେଣ୍ଟ କୁହାଯାଏ । ଏହା ରାତିରେ ଜଳିବାର କାରଣ ଏଥିରେ ଥିବା ବାୟୋ ଲୁମିନିସେଣ୍ଟ ନାମକ ଉପଦାନ, ଯାହାକି ଜୁଳୁଜୁଳିଆ ପୋକ ଦେହରେ ମଧ୍ୟ ରହିଥାଏ ।

ଏହି ଛତୁ ଖାଦ୍ୟ ଉପଯୋଗୀ ନା ନୁହେଁ ତାହା ମେଘାଳୟର ଲୋକମାନେ ଜାଣନ୍ତି ନାହିଁ । ସେମାନେ ଏହାକୁ ଅନ୍ଧାରରେ ଟର୍ଚ୍ଚ ଭାବେ ବ୍ୟବହାର କରନ୍ତି । ଏହି ଚମକଦାର ଛତୁ ଗୋଆର ପଞ୍ଜୀମଠାରୁ ୫୦ କିଲୋମିଟର ଦୂରରେ ମଧ୍ୟ ଦେଖିବାକୁ ମିଳେ ।
ବର୍ତ୍ତମାନ ସୁଦ୍ଧା ସମଗ୍ର ପୃଥିବୀରେ ପ୍ରାୟ ୮୦ ପ୍ରଜାତିର ବାୟୋଲୁମାଇନସେଣ୍ଟ ଛତୁ ଠାବ କରାଯାଇଛି । ତେବେ ଏହା ମଧ୍ୟରୁ ଉତ୍ତର ଆମେରିକା ଏବଂ ଏସିଆର କେତେକ ସ୍ଥାନରେ ଦେଖାଦେଉଥିବା ଆର୍ମିଲାରିଆ ମିଲିଆ ନାମକ ଛତୁ ଅଧିକ ଜଣାଶୁଣା । ସେହିପରି ବ୍ରାଜିଲ୍‌ରେ ମିଳୁଥିବା ମାଇସିନା ଲକ୍‌ଜାଏଟର୍ନା ବା ଏଟର୍ନାଲ୍ ଲାଇଟ୍ ମଶରୁମ୍‌ରେ ମଧ୍ୟ ରାତିରେ ଖୁବ୍ ସୁନ୍ଦର ଆଲୋକ ଦେଖାଯାଏ ।

 

Comments are closed.