Latest Odisha News

ବାଲେଶ୍ବର ହସ୍ପିଟାଲରୁ ଚୋରି ହୋଇଥିବା ନବଜାତ ଉଦ୍ଧାର

ବାଲେଶ୍ଵର: ଉଦ୍ଧାର ହେଲା ଚୋରି ହୋଇଥିବା ନବଜାତ ଶିଶୁ । ଜଳେଶ୍ବର ଅଞ୍ଚଳରୁ ନବଜାତ ପୁତ୍ରକୁ ଉଦ୍ଧାର କଲା ପୋଲିସ । ନବଜାତକୁ ଚୋରି କରିଥିବା ମହିଳା ସମେତ ଆଶା କର୍ମୀଙ୍କୁ ଅଟକ ରଖିଛି ପୋଲିସ । ସେପଟେ ଶିଶୁପୁତ୍ରକୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗତକାଲି ପ୍ରସୂତୀ ବିଭାଗରୁ ଶିଶୁକୁ କିଏ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ, ବାଲିଆପାଳ ଥାନା କୁଲାଚଡ଼ ଗାଁର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନିତା ଗତ ୮ତାରିଖ ବିଳମ୍ବିତ ରାତିରେ ପ୍ରସବ ପାଇଁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସାଙ୍ଗରେ ଅନିତାଙ୍କ ଶାଶୁ ଓ ସ୍ଥାନୀୟ ଆଶାକର୍ମୀ ସଂଧ୍ୟାରଣୀ ଜେନା ମଧ୍ୟ ଆସିଥିଲେ । ତେବେ ରାତି ପ୍ରାୟ ୧୨ଟା ବେଳେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ହେଲେ ଗତକାଲି ଆଶାକର୍ମୀ ଏବଂ ଅନିତାଙ୍କ ଶାଶୁ ୱାର୍ଡରେ ନଥିବା ବେଳେ ଜଣେ ଅଜଣା ମହିଳା ସେଠାକୁ ଯାଇ ପିଲାଟିକୁ ଡାକ୍ତର ପାଖକୁ ନେବାକୁ କହି ଅନିତାଙ୍କ ପାଖରୁ ନେଇଯାଇଥିଲା। ହେଲେ ପରେ ଆଉ ଶିଶୁଟି ଫେରିନଥିଲା। ଏ ନେଇ ହସ୍ପିଟାଲ ଫାଣ୍ଡିରେ ଅନିତାଙ୍କ ଶାଶୁଘର ଲୋକେ ପିଲା ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ହସ୍ପିଟାଲ ସିସି କ୍ୟାମେରା ଯାଞ୍ଚ କରି ଅଜଣା ମହିଳାଙ୍କ ଗତିବିଧିର ଭିଡିଓ ଜବତ କରିଥିଲା । ଏହାପରେ ଆଶାକର୍ମୀ ଓ ହସ୍ପିଟାଲର ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଆଜି ଜଳେଶ୍ବର ଅଞ୍ଚଳରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ ।

Comments are closed.