Latest Odisha News

BREAKING NEWS

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

କଟକ: ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ। ପୂର୍ବରୁ ମେ’ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ପରିଷଦ ଯୋଜନା କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଉତ୍ତରଖାତା ମୂଲ୍ୟାୟନରେ ବିଳମ୍ବ ସାଙ୍ଗକୁ ସାଧାରଣ ନିର୍ବାଚନ ଯୋଗୁଁ ପରୀକ୍ଷାଫଳ ପ୍ରସ୍ତୁତି ପ୍ରଭାବିତ ହୋଇଥିବା ପରିଷଦର ଜଣେ ଅଧିକାରୀ କହିଛନ୍ତି।

ଗୋଟିଏ ସମୟରେ ହିଁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଫଳ ବାହାରିବ। କେଉଁ ଦିନ ବାହାରିବ ସେନେଇ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଜୁନ୍‌ ପୂର୍ବରୁ ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅନୟପଚେ ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ଅଧୀନ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ହେଲେ ସିଏଚ୍‌ଏସ୍‌ଇ ଅଧୀନ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ପରୀକ୍ଷାର୍ଥୀ।

ଏନେଇ ପରିଷଦର ଜଣେ ଅଧିକାରୀ ଜଣକ କହିଛନ୍ତି ଯେ ଖାତା ମୂଲ୍ୟାୟନ ଠିକ୍‌ ଭାବେ ହୋଇଛି। କୌଣସି ପ୍ରକାର ତ୍ରୁଟି କିମ୍ବା ବିଭ୍ରାଟ ହୋଇନି। ଅବଶ୍ୟ ଏଥର ଖାତା ଦେଖା ସରିବାରେ ଟିକିଏ ବିଳମ୍ବ ହୋଇଛି। ତଥାପି ଗତ ବର୍ଷଗୁଡ଼ିକ ‌ଅପେକ୍ଷା ଏଥର ଶୀଘ୍ର ଫଳ ବାହାରିବ। ଏଥର ଗୋଟିଏ ସମୟରେ ସମସ୍ତ ବିଭାଗ ପରୀକ୍ଷାର୍ଥୀଙ୍କ ଫଳ ବାହାରିବ। କୌଣସି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଯେପରି ପ୍ରଭାବିତ ନ‌ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ମୂଲ୍ୟାୟନ ଶେଷ ହେବା ପରେ ଏବେ ଟାବୁଲେସନ ଚାଲିଛି। ତେଣୁ ଛାତ୍ରଛାତ୍ରୀ ବ୍ୟସ୍ତବିବ୍ରତ ନହେବାକୁ ପରାମର୍ଶ ଦିଆଯାଇଛି।

Comments are closed.