Latest Odisha News

୨୦୧୪ ପୂର୍ବରୁ ବାହ୍ୟ ଶକ୍ତି ଡରରେ ବସୁଥିଲେ, ଏବେ ସର୍ଜିକାଲ ଷ୍ଟ୍ରାଇକରେ ଘରେ ପଶି ଆକ୍ରମଣ କରୁଛି ଭାରତ: ମୋଦୀ

ନୂଆଦିଲ୍ଲୀ: ସଂସଦ ଅଧିବେଶନର ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ କରିବା ସହ ଅଭିଭାଷଣ ଦେଇ ପ୍ରଥମରୁ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି । ଗୃହରେ ମୋଦୀ ଅଭିଭାଷଣରେ କହିଛନ୍ତି ଯେ, ୨୦୧୪ ପୂର୍ବରୁ କିଛି ହୋଇପାରିବନି ବୋଲି ଶବ୍ଦ ଶୁଣାଯାଉଥିଲା । ସରକାରଙ୍କ ଉପରେ ଲୋକଙ୍କ ବିଶ୍ବାସ ନଥିଲା, ଅବିଶ୍ବାସ ଭରି ରହିଥିଲା । ଦୈନିକ ନୂଆ ନୂଆ ଘୋଟାଲା ସମ୍ବାଦର ଶିରୋନାମା ପାଲଟୁଥିଲା । ଦିଲ୍ଲୀରୁ ୧ ଟଙ୍କା ଗଲେ, ତଳ ସ୍ତରରେ ୧୫ ପଇସା ପହଞ୍ଚୁଥିଲା । କିଛି ହୋଇପାରିବନି’ ଜାଗାରେ ଏବେ ‘ସବୁ ହୋଇପାରିବ’ର ବିଶ୍ବାସ । ୨୦୧୪ ପୂର୍ବରୁ ବାହ୍ୟ ଶକ୍ତି ଡରରେ ହାତରେ ହାତ ଛନ୍ଦି ବସୁଥିଲେ । ଏବେ ସର୍ଜିକାଲ ଷ୍ଟ୍ରାଇକରେ ଘରେ ପଶି ଆକ୍ରମଣ କରୁଛି ଭାରତ । ଭାରତ କିଛି ବି କରିଦେବ ବୋଲି ଏକ ବାର୍ତ୍ତା ଦିଆଯାଉଛି ବୋଲି କହିଛନ୍ତି ମୋଦୀ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ କିଛି ହୋଇ ପାରିବନି ବୋଲି କୁହାଯାଉଥିଲା । କିନ୍ତୁ ଆମେ ୩୭୦ ହଟାଇଲୁ । ସବୁଠାରୁ ବଡ କଥା ହେଉଛି ଯେ, କାଶ୍ମୀର ଏବେ ଗଣତନ୍ତ୍ରର ବାର୍ତ୍ତାବହ ପାଲଟିଛି । ପୂର୍ବ ସରକାର ବେଳରେ ଦୁର୍ନୀତି ଅବସ୍ଥା ଦେଖି ସାଧାରଣ ଯୁବକଟିଏ ବିଶ୍ବାସ ହରାଇଥିଲା । ମାଗଣା ରାସନ ଦୂରର କଥା, ରାସନ ପାଇଁ ଲାଞ୍ଚ ଦେବାକୁ ପଡୁଥିଲା । ଦେଶ ନିରାଶାରେ ବୁଡିଥିବା ବେଳେ ଦେଶବାସୀ ଆମକୁ ଆଣିଥିଲେ । ବିଗତ ୧୦ ବର୍ଷ ଭିତରେ ଦେଶ ନିରାଶାରୁ ଉଦ୍ଧାର ହୋଇପାରିଛି । ନୈରାଶ୍ୟ ଗର୍ତ୍ତରୁ ଉଦ୍ଧାର ହୋଇ ଦେଶ ଆତ୍ମବିଶ୍ବାସରେ ଭରିଯାଇଛି ବୋଲି କହିଛନ୍ତି ମୋଦୀ ।

ବିଶ୍ବାସ ହିଁ ବିକାଶର ଡ୍ରାଇଭିଂ ଫୋର୍ସ ବନିଯାଏ । ଦେଶବାସୀଙ୍କ ବିଶ୍ବାସ ହିଁ ଦେଶକୁ ସର୍ବଦା ଆଗକୁ ନେଇଛି । ଦେଶବାସୀଙ୍କ ବିଶ୍ବାସ ହିଁ ବିକଶିତ ଭାରତ ସ୍ବପ୍ନର ଶିଳାନ୍ୟାସ କରିଛି । ବିକାଶର ଯାତ୍ରାକୁ ଆମକୁ ପରବର୍ତ୍ତୀ ସୋପାନକୁ ନେବାକୁ ପଡ଼ିବ । ଗତ ୧୦ ବର୍ଷରେ ଦେଶର ଅର୍ଥଶକ୍ତିକୁ ୧୦ରୁ ୫କୁ ଆଣିଛୁ । ଆଗାମୀ ଦିନରେ ଅର୍ଥଶକ୍ତିକୁ ୩ ନମ୍ବରକୁ ଆଣିବୁ । ବିକାଶର ଯେତେ ଉପରକୁ ଗଲେ ବି ଆମେ ଲୋକଙ୍କ ସହ ଅଛୁ । ଗରିବଙ୍କ ପାଇଁ ୩ କୋଟି ଘର ତିଆରି କରିବାକୁ ଆମେ ସଂକଳ୍ପବଦ୍ଧ ।

ଏଥର ଲୋକସଭା ସହ ୪ ରାଜ୍ୟରେ ନିର୍ବାଚନ ହୋଇଥିଲା । ଏହି ୪ ରାଜ୍ୟରେ ଏନଡିଏ ଅଦ୍ଭୁତପୂର୍ବ ସଫଳତା ପାଇଛି । ଓଡ଼ିଶାରେ ଆମକୁ ଭରପୁର ଆଶୀର୍ବାଦ ମିଳିଛି । ଆନ୍ଧ୍ରରେ ଏନ୍‌ଡିଏ କ୍ଲିନ୍‌ ସୁଇପ୍‌ କରିଛି । ଅରୁଣାଚଳ, ସିକିମରେ ଆମେ ପୁଣି ସରକାର କରିଛୁ । ପୂର୍ବ ନିର୍ବାଚନ ଅପେକ୍ଷା ଆମକୁ ଏଥର ଏଠି ଅଧିକ ଭୋଟ ମିଳିଛି ବୋଲି ସଂସଦରେ କହିଛନ୍ତି ମୋଦୀ ।

Leave A Reply

Your email address will not be published.